ଭୁବନେଶ୍ବର: ରାଜଧାନୀରେ ଖୁଲମଖୁଲା ବୁଲୁଛନ୍ତି ହାଡକୋର କ୍ରିମିନାଲ । ହେଲେ ଠକ ନକଲି ଡାକ୍ତରକୁ ଧରିବା ପାଇଁ ଲାଗିଛନ୍ତି ୧୦ ଅଫିସର। ଠକେଇର ନେଟଓର୍କ ଖୋଲିବାକୁ ଗଠନ ହୋଇଛି SIT ଟିମ । ଆଉ ଏହି ଟିମର ସମୀକ୍ଷା କରୁଛନ୍ତି ଖୋଦ ପୋଲିସ କମିସନର । ହେଲେ ବାସ୍ତବିକ ଅପରାଧିକୁ ଧରିବାରେ ବିଫଳ ପୋଲିସ ।
ନୂଆନୂଆ ତରିକା ଆପଣାଇ ଅପରାଧ ମଚାଉଛନ୍ତି ଅପରାଧୀ ତଥାପି ପୋଲିସର ହାତ ଖାଲି। କିଛି ଦିନ ଧରି ଏକ ନିର୍ଦ୍ଧିଷ୍ଟ ଗ୍ୟାଙ୍ଗ ରାଜଧାନୀରେ ଆତଙ୍କ ମଚାଇଲେ ସୁଦ୍ଧା ଅପରାଧୀର ସୁରାକ ପାଉନି ପୋଲିସ । ହେଲେ ଏସବୁ ଦିଗରେ ପୋଲିସ ଧ୍ୟାନ ନଦେଇ ନକଲି ଡାକିତରର କଳା କାରନାମାର ରିଭ୍ୟୁ କରିବାରେ ପୋଲିସ ବେଶ ସକ୍ରିୟ । ପ୍ରେସମିଟ କରି ଠକ ଠକେଇର ପୁରୁଣା କଳା ଚିଠା ଦେଉଛନ୍ତି କମିସନର। ଏଥିପାଇଁ ୧୦ ଜଣିଆ ଟିମ ଗଠନ କରି ତଦନ୍ତ କରୁଥିବା କହିଛନ୍ତି। ହେଲେ ସହରରେ ଘଟୁଥିବା ଅପରାଧ ସମ୍ପର୍କରେ ପଦୁଟିଏ ମୁହଁ ଖୋଲୁନାହାନ୍ତି କମିଶନର ।
ନଜର ପକାନ୍ତୁ ପୋଲିସର ଦୁର୍ବଳ ତଦନ୍ତ ଓ ବିଫଳତା ଉପରେ
- ୬ ଡିସେମ୍ବର ଖଣ୍ଡଗିରି ଡେଲଟା ଛକରୁ ଲକ୍ଷ୍ମୀ ନାରାୟଣ ଜୁଏଲରି ଦୋକାନରେ ରାତି ଅଧରେ ଫ୍ଲେକ୍ସ କଭର କରି ଗ୍ୟାସ କଟରରେ ସଟର ତାଡି ୧ ୨ଲକ୍ଷ ଟଙ୍କାର ଗହଣା ସହ କ୍ୟାସ ନେଇ ଛୁ ମାରିଥିଲେ ଅପରାଧି । ହେଲେ ଏଯାବତ ଗ୍ୟାଙ୍ଗର ସୁରାକ ପାଉନି ପୋଲିସ ।
- ୮ ଜାନୁଆରୀ ବାଲିଅନ୍ତା ଥାନା ଶିଶଲୋ ଅଞ୍ଚଳରେ ମା ଦକ୍ଷିଣେଶ୍ବରି ଗହଣା ଦୋକାନର ପଛପଟ କାନ୍ଥ କାଟି ସୁଡଙ୍ଗ କରି ୧୦ଲକ୍ଷ ଟଙ୍କାର ଗହଣା ଲୁଟିଥିଲେ ଗ୍ୟାଙ୍ଗ ।
- ୨୨ ଜାନୁଆରୀ ଲକ୍ଷ୍ମୀସାଗର ଥାନାର ଏକ ଗହଣା ଦୋକାନରୁ ୧୨ ଲକ୍ଷ ଟଙ୍କାର ରୁପା ଓ ସୁନା ଅଳଙ୍କାର ନେଇ ଛୁ ମାରିଥିଲେ ଦୁର୍ବୃତ୍ତ ।
- ୧୫ ଜାନୁଆରୀରେ ପ୍ରେସଛକ ବିଭତ୍ସ ହତ୍ୟାକାଣ୍ଡ। ଭାଇଗିରି ଓ କଥା କଟାକଟିକୁ ନେଇ ଗଡିଥିଲା ମୁଣ୍ଡ। ନିରଞ୍ଜନ ପରିଡା ହତ୍ୟା ମାମଲା ସହ ଛୁରାମାଡ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିଲେ ବି ମିଳୁନି ମାଷ୍ଟରମାଇଣ୍ଡ ହତ୍ୟାକାରିର ସୁରାକ ।
- ଡିସେମ୍ବର ୩ ତାରିଖ ରସୁଲଗଡ ଓଭରବ୍ରିଜ ନିକଟରେ ସନ୍ତୋଷ ରାଉତ ନାମକ ବ୍ୟବସାୟିକୁ ନିର୍ମମହତ୍ୟା କରିଥିଲେ ଦୁର୍ବୁର୍ତ୍ତ। ଯେଉ ଘଟଣାରେ ହତ୍ୟାକାରିକୁ ଧରିପାରିନଥିବା ବେଳେ ଏବେବି ପୋଲିସ ହତ୍ୟାକାରିର ସୁରାକ ପାଉନି ।
ଯାହାକୁ ନେଇ ବର୍ତ୍ତମାନ ସହରବାସୀଙ୍କ ସୁରକ୍ଷା ନେଇ ଉଠୁଛି ପ୍ରଶ୍ନ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ