ଭୁବନେଶ୍ବର: ଖାକି ବର୍ଦିର ଗରମ ଦେଖାଇ ଠକୁଥିଲା ମନି । ପୋଲିସର ଭୟ ଦେଖାଇ ଚୁପ ରଖୁଥିଲା ଲୋକଙ୍କ ମୁହଁ । କଳା କାରବାର କରୁଥିବା ମାଫିଆ ଓ ହପ୍ତା କଲେକ୍ସନ କରୁଥିବା ଏପରି ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପୂର୍ବରୁ ଅସମାଜିକ କାର୍ଯ୍ୟ ଅଭିଯୋଗରେ ପୋଲିସ ବିଭାଗରୁ ସସପେଣ୍ଡ ହୋଇଥିବା ଏପରି ଜଣେ ବ୍ୟକ୍ତି ଚଳାଇଛନ୍ତି କଳା କାରନାମା ।
ଲୋକଙ୍କୁ ସେକେଣ୍ଡ ହ୍ୟାଣ୍ଡ ଗାଡି ଶସ୍ତାରେ କିଣାଇଦେବ କହି ଠକୁଥିଲେ ଏହି ବ୍ୟକ୍ତି ଜଣକ । ନିଜର ଖାକି ପୋଷାକରେ ଥିବା ଫଟୋ ଦେଖାଇ ଠକୁଥିଲା ଟଙ୍କା । ଏନେଇ ପୁରୀ ବଳଙ୍ଗା ଚନ୍ଦ୍ରାଦେଇପୁର ତଥା ପୂର୍ବତନ ହୋମଗାର୍ଡ ବିଜୟ କୁମାର ପାଣ୍ଡିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ସୂଚନା ଅନୁଯାୟୀ, ଅଭିଯୁକ୍ତ ବିଜୟ ସେକେଣ୍ଡ ହ୍ୟାଣ୍ଡ ମୋଟରସାଇକେଲ କିଣିବା ପାଇଁ ତାଙ୍କର ଜଣେ ବନ୍ଧୁଙ୍କ ସହାୟତାରେ ଗାଡି ବିକ୍ରେତାଙ୍କ ନମ୍ବର ଆଣି ଯୋଗାଯୋଗ କରିଥିଲେ । ଅଭିଯୁକ୍ତ ବିକ୍ରେତା ଜଣକ ତାଙ୍କୁ ଆଚାର୍ଯ୍ୟ ବିହାର ଛକରେ ଥିବା ମା' ଚର୍ଚ୍ଚିକା ସେକେଣ୍ଡ ହ୍ୟାଣ୍ଡ ମୋଟର ସାଇକେଲ ଦୋକାନକୁ ଆସିବାକୁ କହିଥିଲେ ।
ଅଭିଯୁକ୍ତ ଜଣକ ଅଧିକ ବିଶ୍ଵାସ ଜନ୍ମାଇବା ପାଇଁ ହୋମ୍ ଗାର୍ଡ ୟୁନିଫର୍ମରେ ଥାଇ ପିସିଆର ଭ୍ୟାନ ଆଗରେ ଠିଆ ହୋଇଥିବା ନିଜର ଏକ ଫଟୋ ହ୍ଵାଟସ୍ଆପରେ ପଠେଇବା ସହିତ ନିଜକୁ ଚନ୍ଦକା ଥାନାର ପିସିଆର ଡ୍ରାଇଭର ଭାବେ ପରିଚୟ ଦେଇଥିଲେ । ଏହାଫଳରେ ସେମାନଙ୍କ ମନରେ ବିଶ୍ଵାସ ଜନ୍ମିଥିଲା ଏବଂ ସେ ଫୋନ-ପେ ମାଧ୍ୟମରେ ପ୍ରଥମ କିସ୍ତିରେ ୫୦୦୦ ଟଙ୍କା ଏବଂ ଗୁଗଲ-ପେ ମାଧ୍ୟମରେ ଦ୍ଵିତୀୟ କିସ୍ତିରେ ୫୭୦୦୦ ଟଙ୍କା ଅଭିଯୁକ୍ତକୁ ପଠାଇଥିଲେ । କିନ୍ତୁ ସମ୍ପୃକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କୁ କୌଣସି ମୋଟର ସାଇକେଲ ହସ୍ତାନ୍ତର ନ କରିବା ସହ ଯୋଗାଯୋଗ କରିବାରୁ ସେ ଅଭିଯୋଗକାରୀଙ୍କୁ ଗାଳି ଦେଇଥିବା ଜଣାପଡିଛି । ଶେଷରେ ପୋଲିସ ହାତରେ ଧରା ପଡିଛି ଏହି ଡ୍ରାଇଭର 420 ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ