ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ପ୍ରପୀଡ଼ିତ ଅଞ୍ଚଳର ସ୍ଥିତି ସମୀକ୍ଷା ବେଳେ ଦୁଇଟି ରାଜ୍ୟର ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରିବା ସହ ବାତ୍ୟା ଅଞ୍ଚଳ ସଂପର୍କରେ ଅବଗତ କରାଇଥିଲେ । ଅନ୍ୟପଟେ ପଶ୍ଚିମବଙ୍ଗ ଗସ୍ତ ବେଳେ ଦେଖା ଦେଇନଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ସାମୁଦ୍ରିକ ବାତ୍ୟା ୟସ ପ୍ରଭାବିତ ଦୁଇଟି ରାଜ୍ୟ ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସିଥିଲେ ପିଏମ ମୋଦି । ଏହି ଗସ୍ତରେ ଦୁଇଟି ଦୃଶ୍ୟ ସାମନାକୁ ଆସିଛି ଗୋଟିଏ ପଟେ ନବୀନ ପଟ୍ଟନାୟକଙ୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ବୈଠକ କରିଥିବାବେଳେ ଅନ୍ୟପଟେ ମମତା ବାନାର୍ଜୀ କେନ୍ଦ୍ର ସହିତ ଅହିନକୂଳ ସମ୍ପର୍କ ଭଳି ବୈଠକକୁ ଜାଣିଶୁଣି ଅବହେଳା କରି ଯୋଗ ଦେଇନାହାଁନ୍ତି । ଯାହା ଜାତୀୟ ସ୍ତରର ରାଜନୀତିରେ ଚହଳ ସୃଷ୍ଟି କରିଛି । ନବୀନ ପଟ୍ଟନାୟକଙ୍କ କେନ୍ଦ୍ର ଓ ରାଜ୍ୟ ସମ୍ପର୍କକୁ ନେଇ ଯେଉଁ ଉଦାହରଣ ସୃ୍ଷ୍ଟି କରିଛନ୍ତି ତାହାକୁ ନେଇ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସଂଘୀୟ ବ୍ୟବସ୍ଥା ଭିତରେ ରାଜ୍ୟ ଓ କେନ୍ଦ୍ର ଭିତରେ ନବୀନ ପଟ୍ଟନାୟକ ସୁସମ୍ପର୍କ ସ୍ଥାପନ କରିଥିବା ବିଜେଡି କହିଛି ।
ଜାତୀୟ ରାଜନୀତି ପାଇଁ ନିଆରା ବାର୍ତ୍ତା ଦେଉଛନ୍ତି ନବୀନ । କ୍ଷୟକ୍ଷତି ନେଇ କୌଣସି ଦାବି କରାଯାଇ ନାହିଁ । ସ୍ଥାୟୀ ପ୍ରତିକାର ପାଇଁ କେନ୍ଦ୍ରକୁ କୁହାଯାଇଛି । ସବୁ ଦଳକୁ ସାଙ୍ଗରେ ନେଇ କାମ କରିବାର ଦକ୍ଷତା ନବୀନ ପଟ୍ଟନାୟକଙ୍କ ପାଖରେ ଅଛି। ଅନ୍ୟପଟେ ଏହି ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କ ଆଚରଣକୁ ରାଜ୍ୟ ବିଜେପି ପ୍ରଶଂସା କରୁଥିବା କରୁଥିବାବେଳେ ମମତା ଦିଦିଙ୍କ ଉପରେ ରାଜ୍ୟ ବିଜେପି ଖପ୍ପା । ନବୀନ ପଟ୍ଟନାୟକଙ୍କୁ ବିଜେପି ପ୍ରଶଂସା କରୁଥିବା ବେଳେ ମମତାଙ୍କ ଉପରେ ବର୍ଷିଛି ଦଳ । ପ୍ରଧାନମନ୍ତ୍ରୀଙ୍କୁ ଅପମାନ କଲା ଭଳି ଆଚରଣ କରାଯାଇଥିବା ବିଜେପି କହିଛି ।
ସାରା ଦେଶରେ ସଂଘୀୟ ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦାହରଣ ସୃଷ୍ଟି କରିଛନ୍ତି । କେନ୍ଦ୍ର ରାଜ୍ୟ ସମ୍ପର୍କକୁ ନେଇ ନବୀନ ପଟ୍ଟନାୟକ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ