ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟରେ ଚାଲିଛି ଯୁକ୍ତ ଦୁଇ ପରୀକ୍ଷା(Plus Two Exam) । ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମୟରେ ରାଜ୍ୟକୁ ବାତ୍ୟା 'ଅସାନି' ଚିନ୍ତା ଘାରିଛି । ବାତ୍ୟା ପ୍ରଭାବରେ ବର୍ଷା ଓ ପବନର ବେଗ ଅଧିକ ହେବାର ସମ୍ଭାବନା ରହିଛି । ଏଣୁ ଆସନ୍ତା 11 ତାରିଖରେ ଥିବା ପରୀକ୍ଷା କିଭଳି ହେବ ସେନେଇ ଚିନ୍ତାରେ ଛାତ୍ରଛାତ୍ରୀ । ଏପଟେ ପରିଷଦ କହିଛି ପରିସ୍ଥିତି ଦେଖି ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ ରାଜ୍ୟରେ ଆସନ୍ତା 10 ତାରିଖରୁ ବର୍ଷା ଆରମ୍ଭ ହୋଇ 12 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ପ୍ରାୟ 9ଟି ଜିଲ୍ଲାକୁ ସତର୍କ କରାଯାଇଛି । ତେବେ ଆସନ୍ତା 10 ତାରିଖରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଥିବାବେଳେ 11 ତାରିଖରେ ବିଜ୍ଞାନ ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ରହିଛି । ଏହି ଦୁଇ ଦିନ ପ୍ରବଳ ବର୍ଷା ହେବାକୁ ଥିବାରୁ ଛାତ୍ରଛାତ୍ରୀ କିଭଳି ପରୀକ୍ଷା ଦେବାକୁ ଆସିବେ ତା'କୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି ।
ଛାତ୍ରଛାତ୍ରୀ କହିଛନ୍ତି ଯେ ଦୀର୍ଘ ୨ ବର୍ଷ ପରେ ଅଫଲାଇନରେ ପରୀକ୍ଷା କରାଯାଉଛି । ଯଦିଓ ଓଡିଶାକୁ ବାତ୍ୟା ନାହିଁ, କିନ୍ତୁ ଏହାର ପ୍ରଭାବରେ ପବନ ଏବଂ ବର୍ଷା ହେବ । ଏଣୁ 11 ତାରିଖରେ ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ଅଛି । ଏହି ସମୟରେ ଅନେକ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି । ଯଦି ପରୀକ୍ଷାକୁ ଘୁଞ୍ଚାଇ ଦିଅନ୍ତି ତେବେ ଅଧିକ ଦିନ ନକରି କମ ଦିନ ମଧ୍ୟରେ ପରୀକ୍ଷା କରାଇବାକୁ ଛାତ୍ରଛାତ୍ରୀ କହିଛନ୍ତି । ଏପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ କହିଛନ୍ତି ଯେ ବାତ୍ୟା ସମୟରେ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ସଠିକ ନିଷ୍ପତ୍ତି ନିଆଯିବ।
ଯେହେତୁ 10 ତାରିଖ ସନ୍ଧ୍ୟା ସୁଦ୍ଧା ବର୍ଷା ଓ ପବନ ହେବ ଏଣୁ ଆସନ୍ତା 11 ତାରିଖରେ ଥିବା ପରୀକ୍ଷା ବାବଦରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ। ଆଜି ସନ୍ଧ୍ୟାରେ ପାଣିପାଗ ବିଭାଗ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ବାତ୍ୟା ସମ୍ବନ୍ଧୀୟ ରିପୋର୍ଟ ଆସିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ସୂଚନା ଥାଉ କି ରାଜ୍ୟରେ 30ଟି ଜିଲ୍ଲାରେ ମୋଟ ଭାବରେ 1133 ଟି ପରୀକ୍ଷା କେନ୍ଦ୍ର ରହିଛି । ଚଳିତ ବର୍ଷ ପରୀକ୍ଷାରେ 3 ଲକ୍ଷ 20 ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ