ଭୁବନେଶ୍ବର : ରାଜଧାନୀର କାନ୍ଥବାଡରେ ଝଲସୁଛି ପୁରୁଣା କଳାକାରଙ୍କ ଛବି । ୬୦ ଦଶକରୁ ଆରମ୍ଭ କରି ୯୦ ଦଶକର କଳାକାରଙ୍କ ଛବି ସ୍ଥାନ ପାଇଛି । ଏପରି ଭାବରେ କାନଭାସରେ ସଜେଇ ହୋଇଛି ରାଜଧାନୀରେ ଏକାଧିକ କାନ୍ଥ । ମାଷ୍ଟର କ୍ୟାଣ୍ଟିନ ଠାରୁ ରାମ ମନ୍ଦିର ଯିବା ବାଟରେ ଦେଖିବାକୁ ମିଳୁଛି ଏଭଳି ଛବି ।
ପୁରୁଣା ଦିନର ସିନେମାର ଛବି ଆଜି ଦେଖିଲେ ଲାଗେ ନୂଆ। କାରଣ ସେତେବେଳର ସେ ମାଧୁର୍ଯ୍ୟ ଆଧୁନିକକା ଆଉ ଟେକ୍ନୋଲୋଜି ଆପଣାଉଥିବା ଯୁଗରେ କେଜାଣି କୋଉଠି ହଜିଗଲାଣି । ସେହି ହଜି ଯାଉଥିବା ଅତୀତର ଅନେକ ସ୍ମୃତି ଓ କାହାଣୀକୁ ମନେପକାଇବା ପାଇଁ ବିଏମସି ପକ୍ଷରୁ କଳାକାର, ଗୀତିକାରଙ୍କ ସହ ବହୁ ଚଳଚ୍ଚିତ୍ରର ଝଲକ କାନ୍ଥରେ ଅଙ୍କା ଯାଇଛି ।
ସୀତା ବିବାହ , ଚକା ଆଖି ସବୁ ଦେଖୁଛି , ଲଳିତା , ସପ୍ତଶର୍ଯ୍ୟା ,ଗୌରୀ, ଅରୁନ୍ଧତି ଭଳି ଅନେକ ଅଭୁଲା ଚଲଚ୍ଚିତ୍ରର ଛବି ଦେଖିବାକୁ ମିଳୁଛି। ଏହି ଚିତ୍ର ସବୁ ପୁରୁଣା ସ୍ମୃତିକୁ ମନେପକାଇ ଦେଉଛି । ଆଉ ଆମକୁ ମନେପକେଇ ଦେଉଛି ଅତୀତର ସେହି ସାଉଣ୍ଟା ଚିତ୍ରପଟକୁ। ଯାହା ଦିନେ ସମସ୍ତଙ୍କ ମନ ମୋହୁଥିଲା।ସେତବେଳର ହିରୋ ହିରୋଇନ ମାନଙ୍କ ଫଟୋ ଓ ପୋଷ୍ଟର ମଧ୍ୟ ଦେଖିବାକୁ ମିଳୁଛି ।
ଏହି ଚିତ୍ର କେବଳ ପୁରୁଣା ଦିନର ସୁବର୍ଣ୍ଣ ସ୍ମୃତିକୁ ମନେ ପକାଏ ନାହିଁ । ତେବେ କାନ୍ଥରେ ହୋଇଥିବା ଏ ଚିତ୍ର ଓଲିଉଡର ଦିବଙ୍ଗତ କଳାକାରଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳୀ କହିଲେ ଭୁଲ ହେବ ନାହିଁ । ସେହି ସମୟର ସିନେମାର ମୌଳିକତା ଓ ମୂଲ୍ୟକୁ ଆଜିବି ଦର୍ଶକ ଖୋଜୁଛନ୍ତି । ଓଡିଶାରେ ଥିବା ପ୍ରଯୋଜକ ଓ ନିର୍ଦ୍ଦେଶକ ଚାହିଁଲେ ଓଡିଆ ଚଳଚ୍ଚିତ୍ର ଆଗକୁ ବଢିପାରିବ । କପି ଚଳଚ୍ଚିତ୍ର ଦୀର୍ଘସ୍ଥାୟୀ ନୁହେଁ ବୋଲି କହିଛନ୍ତି ସିନେ ସମୀକ୍ଷକ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ