ଭୁବନେଶ୍ବର: ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଭଳି ବ୍ୟକ୍ତିତ୍ୱ ରାଜନୀତି କ୍ଷେତ୍ରରେ ବିରଳ । ଓଡିଶା ପ୍ରତି ତାଙ୍କର ଅବଦାନ, କୃଷକ, ଗରିବ ଓ ଖଟିଖିଆଙ୍କ ପ୍ରତି ଯେଉଁ ସମର୍ପିତ ଭାବ ଥିଲା ଆଗାମୀ ପିଢି ସେଥିରୁ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ରହିଛି । ଆମେ ସମସ୍ତେ ତାଙ୍କ ନୀତି-ଆଦର୍ଶରେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କରିବା ଉଚିତ ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି ।
ଓଡିଶା ବିଧାନସଭା ପକ୍ଷରୁ ଆୟୋଜିତ ହୋଇଛି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୩୮ତମ ଶ୍ରାଦ୍ଧଦିବସ । ଏହି ଅବସରରେ ବାଚସ୍ପତି ବିଧାନସଭାସ୍ଥିତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ କରିଛନ୍ତି କହିଛନ୍ତି ଯେ ସ୍ୱାଧୀନତା ଆନ୍ଦୋଳନରେ ଏବଂ ଭାରତର ସ୍ୱାଧୀନତା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦେଶ ତଥା ରାଜ୍ୟ ପାଇଁ ତାଙ୍କର ଅବଦାନ ଅତୁଳନୀୟ ।
ଉପବାଚସ୍ପତି ରଜନୀକାନ୍ତ ସିଂହ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ବିଧାନସଭା ନିର୍ଦ୍ଦେଶକ (ଗବେଷଣା) କୃପାସିନ୍ଧୁ ମିଶ୍ର, ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା, ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତି ମହାନ ଜନନାୟକ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।
ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ ଶିବପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନବକୃଷ୍ଣ ଚୌଧୁରୀଙ୍କ ଜୀବନୀ ସଂପର୍କିତ ସଂଗୀତ ପରିବେଷଣ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର