ଭୁବନେଶ୍ବର: ଚେକିଂକୁ ନେଇ ରାଜମହଲରେ ଦେଖାଦେଇଛି ଉତ୍ତେଜନା । ପୋଲିସ ଭ୍ୟାନର କାଗଜପତ୍ରକୁ ସାଧାରଣ ଜନତା ଯାଞ୍ଚ କରିବାରୁ ଅଣାୟତ୍ତ ହୋଇଥିଲା ପରିସ୍ଥିତି । ଉତ୍ଯକ୍ତ ଲୋକେ ପୋଲିସ ଭ୍ୟାନକୁ ଭଙ୍ଗାରୁଜା କରିଥିଲେ । ପରିସ୍ଥିତିକୁ ଆୟତ କରିବାକୁ ପୋଲିସ ମଧ୍ୟ ଲାଠି ଚାର୍ଜ କରିଛି । ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ।
ସାଧାରଣ ଲୋକେ ଗୁଜବକୁ ବିଶ୍ବାସ କରି ଉତ୍ତେଜନା ସୃଷ୍ଟି କରୁଛନ୍ତି । ଲୋକଙ୍କ ମନରେ ଧାରଣା ରହିଛି ପୋଲିସ ଗାଡ଼ିର କାଗଜପତ୍ର ନାହିଁ । ତେଣୁ ଏପରି ସ୍ଥିତି ସାଧାରଣ ଜନତା ଉପୁଜାଉଥିବା କହିଛନ୍ତି କମିସନର । ପୋଲିସ ଗାଡ଼ିର ସମସ୍ତ କାଗଜପତ୍ର ଇଣ୍ଟରନେଟରେ ଉପଲବ୍ଧ କରାଯିବ । ଫଳରେ ଲୋକଙ୍କର ଗୁଜବ ସୃଷ୍ଟି କରିବେ ନାହିଁ । ସେ କହିଛନ୍ତି, ପୋଲିସ କେବଳ ପାଞ୍ଚଟି ଘଟଣାକୁ ନେଇ ଯାଞ୍ଚ କରୁଛି । ତେଣୁ ଚେକିଂକୁ ନେଇ ଅଯଥା ଆତଙ୍କିତ ହେବା ଆବଶ୍ୟକ ନାହିଁ । ଯଦି କୌଣସି ସରକାରୀ ଗାଡ଼ି କିମ୍ବା ପୋଲିସ ଅଧିକାରୀ ଆଇନ ମାନୁନଥିବେ । ତାଙ୍କ ବିରୋଧରେ ନିଶ୍ଟିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।
ଏପଟେ ଏହି ଘଟଣାରେ ସରକାରକୁ ଘେରିଛି କଂଗ୍ରେସ । ବିଧାୟକ ସୁର ରାଉତରାୟ ନୂଆ ଟ୍ରାଫିକ ନିୟମକୁ ଏକ ପ୍ରକାର ଜୁଲମ ବୋଲି କହିଛନ୍ତି । ଅନ୍ୟ ରାଜ୍ୟ ଗୁଡ଼ିକ ନୂଆ ନିୟମକୁ ଗ୍ରହଣ କରିନଥିବା ବେଳେ ନବୀନ ବାବୁ କାହିଁକି ଏହି ଆଇନକୁ ଗ୍ରହଣ କଲେ ବୋଲି ଆକ୍ଷେପ କରିବା ସହ ପୋଲିସ ଲାଠି ଚାଳନାକୁ ନିନ୍ଦା ମଧ୍ୟ କରିଛନ୍ତି ସୁର ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ