ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନରେ ଥିବା ଏକ ବିଶାଳକାୟ ପୁରୁଣା ବରଗଛ ପାଇଁ ସ୍ବେଛାସେବୀ ସଂଗଠନ ପିପୁଲ୍ସ ଫର ଆନିମଲ୍ସର ବିକ୍ଷୋଭ । ବରଗଛଟି ପ୍ରାୟ ୨୦୦ ବର୍ଷ ତଳର ହେବ ବୋଲି କୁହାଯାଉଛି । ଏହି ବିରାଟକାୟ ବୃଦ୍ଧ ବରଗଛଟି ଜନବହୁଳ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ବାଟୋଇଙ୍କ ପାଇଁ ଅମୂଲ୍ୟ ଛାଇ ପ୍ରଦାନ କରୁଛି ।
ମାତ୍ର ଏହି ଗଛଟିକୁ କାଟିବାକୁ ନିଷ୍ପତି ନେଇଛି ପ୍ରଶାସନ । ଫଳରେ ସ୍ବେଛାସେବୀ ସଂଗଠନ ପିପୁଲ୍ସ ଫର ଆନିମଲ୍ସର ସଦସ୍ୟମାନେ ଏକାଠି ହୋଇ ନିଷ୍ପତି ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ପ୍ଲା-କାର୍ଡ ସହିତ ଏହି ଅମୂଲ୍ୟ ସଂପଦ ଗଛଟିକୁ ବଞ୍ଚାନ୍ତୁ ବୋଲି ଦାବି କରିଛନ୍ତି । ସଂଗଠନର ସଦସ୍ୟମାନେ ଗଛଟିକୁ ନକାଟି ସୌନ୍ଦର୍ଯ୍ୟକରଣ କରିବାକୁ ଦାବି କରିଛନ୍ତି । ସଂଗଠନର ସଦସ୍ୟ ଦୁର୍ଗା ପ୍ରସାଦ ପାଢୀ କହିଛନ୍ତି ମୁଖ୍ୟମନ୍ତ୍ରୀ ଆମର ଗୁହାରୀ ଶୁଣିବେ ଓ ଏହି ଗଛଟିକୁ ଏଠାରେ ରହିବାକୁ ଦେବେ ।
ରାଜଧାନୀରେ ଗଛ ସଂଖ୍ୟା ହ୍ରାସ ପାଉଥିବା ବେଳେ ସହରର ସୌନ୍ଦର୍ଯ୍ୟକରଣର ପାଇଁ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନରେ ଥିବା ଏହି ବର ଗଛକୁ କଟାଯିବା ପାଇଁ ନିଷ୍ପତି ହୋଇଛି । ଫଳରେ ଏହି ଗଛ କଟାକୁ ବିରୋଧ କରିଛି ସ୍ବେଛାସେବୀ ସଂଗଠନ ପିପୁଲ୍ସ ଫର ଆନିମଲ୍ସ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ