ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ବରର ଅଭାବନୀୟ ଚିତ୍ର। ଦେଖନ୍ତୁ ପାଦଚଲା ପଥଚାରିଙ୍କ କଷ୍ଟ । ରାସ୍ତା ପାର ହେବାକୁ କେତେ ଅସୁବିଧା । ଏମାନଙ୍କ ଯାତାୟତ କେତେ ବିପଦପୂର୍ଣ୍ଣ । କାରଣ ସ୍ମାର୍ଟସିଟିର ପାଦଚଲା ପଥଚାରୀଙ୍କ ପାଇ ମିଳୁନି ବାଟ। କି ଏମାନଙ୍କ ଯିବା ଆସିବା ନିମନ୍ତେ ସ୍ମାର୍ଟସିଟିରେ ନାହିଁ ବିକଳ୍ପ ବ୍ୟବସ୍ଥା । ସ୍ମାର୍ଟସିଟି ପ୍ରୋଜେକ୍ଟରେ ଟ୍ରାଫିକ ସିଗନାଲ ଆଧୁନିକରଣ ହେଉଛି। ହେଲେ ଏହି ଆଧୁନିକରଣରେ ପାଦଚଲା ପଥଚାରୀଙ୍କ ପାଇଁ କୈଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନି । ଫଳରେ ବିପଦପୂର୍ଣ୍ଣ ଯାତାୟତ କରି ଦୁର୍ଘଟଣାର ଶିକାର ହୋଇଛନ୍ତି ଅନେକ । ୨୦୨୦ରେ ୨୧ଜଣ ପାଦଚଲା ପଥଚାରୀଙ୍କ ଦୁର୍ଘଟଣାରେ ଯାଇଛି ଜୀବନ ।
୮୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । କମିସନରେଟ ପୋଲିସର ରେକର୍ଡ଼ କହୁଛି ମୃତ ୨୧ ଜଣଙ୍କ ମଧ୍ୟରେ ୧୫ଜଣ ପୁରୁଷ ଓ ୬ଜଣ ମହିଳା ରହିଛନ୍ତି । 8 ଜଣ ମୃତକଙ୍କ ବୟସ ପାଖାପାଖି 35ରୁ 45 ବର୍ଷ ବୟସ ଭିତରେ । ସେହିପରି 11 ଜଣ ମୃତକଙ୍କ ବୟସ ପାଖାପାଖି ୪୫ରୁ ୬୦ ବର୍ଷ ବୟସର ଭିତରେ ଏବଂ 2 ଜଣଙ୍କର ବୟସ 60ବର୍ଷରୁ ଅଧିକ ହୋଇଥିବା ଜଣାପଡିଛି । ତେବେ, ଏନେଇ ପୋଲିସ କମିଶନରଙ୍କୁ ପ୍ରତିକ୍ରିୟା ମାଗିଥିଲେ ମଧ୍ୟ ସେ କୈଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ।
ରୋଡ଼ ସେଫଟି ବିଶେଷଜ୍ଞଙ୍କ କହିବା କଥା ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ରାଜଧାନୀରେ ପଦଚାରୀଙ୍କ ସୁରକ୍ଷିତ ଯାତାୟତ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ । ପେଡେଷ୍ଟ୍ରିଆନ କ୍ରସିଂ ଜୋନ, ଅଣ୍ଡର ଓ୍ବେ ପାସିଂ କନଭରଜନ ନଚେତ ଫ୍ଲାଇଂ ଫୁଟ ଓଭରବ୍ରିଜ ନିର୍ମାଣ ଆବଶ୍ୟକ। ସହୀଦ ନଗର, ରମାଦେବୀ ବିଶ୍ବବିଦ୍ୟାଳୟ ,ରାଜମହଲ ରାଜପଥ ଓ କଳ୍ପନା ରାଜମହଲ ଭଳି ରାସ୍ତା ଜନଗହଳିପୂର୍ଣ୍ଣ । ଅନେକ ଦୁର୍ଘଟଣା ଏଠାରେ ଘଟୁଥିବା ନଜିର ମଧ୍ୟ ରହିଛି । ସ୍ମାର୍ଟସିଟି ଟ୍ରାଫିକ ସିଗନାଲ ସିଷ୍ଟମରେ ମଧ୍ୟ ପେଡେଷ୍ଟ୍ରିଆନ ସିଗନାଲ ସାଉଣ୍ଡ ଅଧିକାଂଶ ସ୍ଥାନରେ କାର୍ଯକ୍ଷମ ହେଉନି । ଫଳରେ ରାସ୍ତାପାର ହେବା ପାଇଁ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଲୋକେ । ଦୁଇ ଚକିଆ ଚାରିଚକିଆ ଯାନ ପାଇଁ ହେଉଛି ନିୟମ ପରେ ନିୟମ । ପଥଚାରୀଙ୍କ ପାଇଁ ନିୟମ କେବେ ଲାଗୁ ହେବ । ଏ ଦିଗରେ କେବେ ଧ୍ୟାନ ଦେବେ ସରକାର, ତାହା ଦେଖିବାକୁ ବାକି ରହିଲା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ