ଭୁବନେଶ୍ବର: ନିର୍ବାଚନୀ ସମୟରେ ବହୁ ସ୍ଥାନରେ ବୁଥ ଜବରଦଖଲ, ମାଡପିଟ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ମାଡ ଏବଂ ସେମାନଙ୍କର ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ଘଟଣାକୁ ଦୃଢ଼ ନିନ୍ଦା କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟ ସରକାର ପୂର୍ବରୁ ଯେଉଁ ବାହାଶପୋଟ ମାରୁଥିଲେ ଯେ, ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ଏବଂ ସ୍ୱଚ୍ଛ, ନିର୍ମଳ, ଅବାଧ ଓ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ସମ୍ପନ୍ନ କରିବେ, ତାହା ଆଜି ମିଛ ପ୍ରମାଣିତ ହୋଇଛି ବୋଲି ପଟ୍ଟନାୟକ କହିଛନ୍ତି ।
ସେ କହିଛନ୍ତି ଯ୍, ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କେଉଁ ସ୍ତରକୁ ଖସିଯାଇଛି । ଏପରିକି ଅନେକ ସ୍ଥାନରେ ଶାସକ ଦଳର ପ୍ରାର୍ଥୀଙ୍କ ଜିତାପଟ ପାଇଁ ପୁଲିଂ ବୁଥରେ ସାଧାରଣ ଭୋଟରଙ୍କୁ ଧମକ ଏବଂ ଭୟଭୀତ କରାଇ ଭୋଟ ଗ୍ରହଣ କେନ୍ଦ୍ରକୁ ନ ଆସିବାକୁ ବାଧ୍ୟ କରାଯାଉଛି । ରାଜ୍ୟ ସରକାରଙ୍କର ଏପରି ଆଚରଣ ଓ ଉଚ୍ଚାରଣରେ ବ୍ୟଥିତ ହୋଇ ଦୁଃଖପ୍ରକାଶ କରିବା ସହ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା କେଉଁ ଆଡକୁ ଗତି କରୁଛି ବୋଲି ପ୍ରଶ୍ନ କରିଛନ୍ତି ପଟ୍ଟନାୟକ ।
ଯେଉଁଭଳି ଢଙ୍ଗରେ ତୃଣମୂଳସ୍ତରରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ଖୋଦ ଶାସକ ଦଳର ପ୍ରାର୍ଥୀମାନଙ୍କ ଦ୍ୱାରା ଏବଂ ଶାସକ ଦଳର ଗୁଣ୍ଡା ଦ୍ୱାରା ଏଥିରୁ ସ୍ପଷ୍ଟ ଅନୁମେୟ । ବାହୁବଳ, ଅର୍ଥବଳ ଓ ହିଂସାତ୍ମକ ପନ୍ଥା ଦ୍ୱାରା ଏହି ତ୍ରିସ୍ତରୀୟ ପଞ୍ଚାୟତକୁ ଜିତିବା ପାଇଁ ଶାସକ ବିଜେଡି ଉଦ୍ୟମ କରୁଥିବା ପିସିସି ସଭାପତି ଅଭିଯୋଗ କରିଛନ୍ତି । ସେହିପରି ସମ୍ବିଧାନରେ ଅହିଂସା ଶବ୍ଦ ଯୋଡ଼ାହୋଇଥିବା ରାଜନୈତିକ ଦଳ ପଞ୍ଚାୟତ ନିର୍ବାଚନରେ ଲୋକମାନଙ୍କୁ ଆକ୍ରମଣ କରିବା, ସାମ୍ବାଦିକଙ୍କୁ ଲହୁଲୁହାଣ କରିବା, ଭୋଟରଙ୍କୁ ଧମକେଇବା ଆଦି କେଉଁ ଅହିଂସା ନୀତିରେ ଅନୁପ୍ରାଣିତ ବୋଲି ପ୍ରଶ୍ନ କରିବା ସହ ରାଜ୍ୟ ପୋଲିସ ପ୍ରଶାସନ ସରକାରୀ ଦଳର କର୍ମୀ ହିସାବରେ ବିଭିନ୍ନ ଅଞ୍ଚଳରେ ପୋଲିସ ଗାଡ଼ିରେ ଟଙ୍କା ବାଣ୍ଟିବା ମୋତେ ହତଚକିତ କରିଛି ବୋଲି ପଟ୍ଟନାୟକ କହିଛନ୍ତି ।
ଏହିଭଳି ଅରାଜକତା ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କୁ ଗିରଫ କରି ସରକାର ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରନ୍ତୁ ଏବଂ ରାଜ୍ୟ ଯେପରି ରାଜ୍ୟ ଓ ରାଜ୍ୟ ବାହାରେ ନିନ୍ଦିତ ନ ହେଉ ସେଥିପ୍ରତି ସଚେତନ ରହିବା ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପରବର୍ତ୍ତୀ ପର୍ଯାୟଗୁଡିକ କିପରି ସ୍ୱଚ୍ଛ, ଅବାଧ ଓ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ପିସିସି ସଭାପତି ନିବେଦନ କରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ