ଭୁବନେଶ୍ବର: ପୁଣିଥରେ ଚିକିତ୍ସା ଅବହେଳାର ଚିତ୍ର ସାମ୍ନାକୁ ଆସିଛି । ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ ପରେ ଡାକ୍ତରଖାନା ପରିସରରେ ଦେଖା ଦେଇଛି ଉତ୍ତେଜନା ଓ ଭଙ୍ଗାରୁଜା । ରାଜଧାନୀ ଉପକଣ୍ଠରେ ଥିବା ଏକ ଘରୋଇ ହସ୍ପିଟାଲରେ ଘଟିଛି ଏଭଳି ଘଟଣା । ସହିଦନଗର ଥାନା ଅନ୍ତର୍ଗତ ଟ୍ରିନିଟି ହସ୍ପିଟାଲରେ ଘଟିଛି ଏଭଳି ଘଟଣା । ଡାକ୍ତରଙ୍କ ଅବହେଳାରୁ ଏପରି ଘଟିଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ପରିବାର ଲୋକ ।
ସୂଚନା ଅନୁସାରେ ୟୁନିଟ୍ ୩ର ସଞ୍ଜୟ କୁମାର ସାହୁ ହସ୍ପିଟାଲରେ ଚିକିତ୍ସା ପାଇଁ ପହଞ୍ଚିଥିଲେ ମଧ୍ୟ ଡାକ୍ତର ରୋଗୀର ଚିକିତ୍ସା କରି ନଥିଲେ । କେବଳ ରୋଗୀକୁ ଦେଖି ଦେଇ ଚାଲି ଯାଇଥିଲେ ଡାକ୍ତର ବୋଲି ପରିବାର ଲୋକେ ଆଣିଛନ୍ତି ଅଭିଯୋଗ । ଡାକ୍ତରଙ୍କ ଅବହେଳା ଯୋଗୁଁ ଜୀବନ ଯାଇଥିବା କହିଛନ୍ତି ପରିବାର ଲୋକେ । ଯାହାକୁ ନେଇ କିଛି ସମୟ ଧରି ହସ୍ପିଟାଲରେ ଭଙ୍ଗାରୁଜା ସହ ଦେଖାଦେଇଥିଲା ଉତ୍ତେଜନା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ।
ମୃତ ରୋଗୀଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଡାକ୍ତରଖାନାକୁ ଆସିବା ପୂର୍ବରୁ ରୋଗୀଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଡାକ୍ତର ।
କ୍ରମାଗତ ଭାବରେ ରାଜ୍ୟରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ସାମ୍ନାକୁ ଆସୁଛି । ସରକାରୀ ମେଡିକାଲରେ ରୋଗୀସେବା ବିପର୍ଯ୍ୟସ୍ତ । ସେପଟେ ଘରୋଇ ହସ୍ପିଟାଲଙ୍କ ବିରୋଧରେ ରୋଗୀ ଶୋଷଣର ଅଭିଯୋଗ ଲିଷ୍ଟ ଲମ୍ବା । ସବୁ ଦିଗରୁ ଦୟନୀୟ, ହନ୍ତସନ୍ତ ହେଉଛି ରୋଗୀ । ଅବହେଳା, ଅଣଦେଖାରୁ ଚାଲି ଯାଉଛି ଜୀବନ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭରତ