ଭୁବନେଶ୍ବର: ନୟାଗଡ 5 ବର୍ଷୀୟ ଶିଶୁ ପରୀ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଖୁବଶୀଘ୍ର ଦୋଷୀକୁ ଧରା ନଗଲେ ଏହି ପ୍ରସଙ୍ଗ ଦିଲ୍ଲୀ ଦରବାରରେ ମଧ୍ୟ ଉଠିବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ଏହା ସହ ସେ ସିଧା କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ।
ଟ୍ବିଟ କରି ସମ୍ବିତ କହିଛନ୍ତି ଏହି ଜଘନ୍ୟ ହତ୍ୟାକାଣ୍ଡରେ ଯେଉଁ ହତ୍ୟାକାରୀର ନାଁ ଆସୁଛି ତାକୁ ସୁରକ୍ଷା ଦେଉଛନ୍ତି ମନ୍ତ୍ରୀ ଅରୁଣ ସାହୁ । ତେଣୁ ସେ ମଧ୍ୟ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ । ତାଙ୍କୁ ମଧ୍ୟ ଗିରଫ କରାଯିବା ଆବଶ୍ୟକ ଅଛି । ଯଦି ଏହି ପ୍ରସଙ୍ଗରେ ଖୁବଶୀଘ୍ର ହତ୍ୟାକାରୀକୁ ଗିରଫ କରାନଯାଏ ତେବେ ଏହି ପ୍ରସଙ୍ଗ ଦିଲ୍ଲୀରେ ମଧ୍ୟ ଉଠାଯିବା ସହ ଯେ ପର୍ଯ୍ୟନ୍ତ ପରୀକୁ ନ୍ୟାୟ ନମିଳିଛି ସେ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ମଧ୍ୟ ସେ ମତ ଦେଇଛନ୍ତି ।
ଚଳିତ ବିଧାନସଭା ଶୀତ ଅଧିବେଶନ ଚାଲିଥିବା ବେଳେ ପରୀ ପ୍ରସଙ୍ଗ ନେଇ ଗୃହରେ ହଟ୍ଟଗୋଳ ଲାଗିରହିଛି । କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ସହ ସିବିଆଇ ତଦନ୍ତ ଦାବି କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ତେବେ ପ୍ରଥମ ଦିନରେ ପରୀ ହତ୍ୟାକାଣ୍ଡ ନେଇ ବାଚସ୍ପତି ରୁଲିଂ ଦେବା ସହ ପରଦିନ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଉତ୍ତର ରଖିବା ସହ କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥି୍ଲା । ପରେ ପୁଣି ଗୃହରେ ଏହି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ ବିରୋଧୀ । ଶୁ୍କ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମାମଲାରେ ଏସଆଇଟି ତଦନ୍ତ କରାଯିବା ନେଇ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।
ତେବେ ଅରୁଣ ସାହୁ ମନ୍ତ୍ରୀ ପଦବୀରେ ଥିବା ପର୍ଯ୍ୟନ୍ତ ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ ତେଣୁ ତାଙ୍କୁ ତୁରନ୍ତ ପଦରୁ ହଟାଇବା ସହ ସିବିଆଇ ତଦନ୍ତ ଦାବିରେ ବିଭିନ୍ନ ସ୍ଥାନରେ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ବିକ୍ଷୋଭ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ