ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ପୂର୍ବରୁ ଆସନ୍ତା ଫେବ୍ରୁଆରୀ 13 ତାରିଖରେ ବସିବ ଅଭିଭାବକ ଓ ଶିକ୍ଷକଙ୍କ ମିଳିତ ବୈଠକ। କେବଳ 10ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଅଭିଭାବକ ଏହି ବୈଠକରେ ଯୋଗଦେବେ । ବୈଠକ ସୁରୁଖୁରୁରେ ଆୟୋଜନ କରିବାକୁ ରାଜ୍ୟର ସମସ୍ତ ଡ଼ିଇଓ ଓ ବିଇଓ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଆଗକୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆସୁଛି। ପରୀକ୍ଷାକୁ ଦୃଷ୍ଟିରେ ରଖି ଫେବୁଆରୀ 13 ତାରିଖରେ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ କରାଯିବ। କୋଭିଡ-19 ଭାଇରସ ସଂକ୍ରମଣ ଯୋଗୁଁ ଗତ ବର୍ଷ ମାର୍ଚ୍ଚ ମାସରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଥିଲା। ବର୍ତ୍ତମାନ ଗାଇଡଲାଇନ ଅନୁଯାୟୀ ବିଦ୍ୟାଳୟ ଖୋଲୁଥିବା ବେଳେ କ୍ଲାସ ରୁମ ଶିକ୍ଷାକୁ ଗୁରୁତ୍ବ ଦିଆଯାଉଛି।
ବିଦ୍ୟାଳୟରେ ତଥା ଶିକ୍ଷାଗତ ପରିବେଶର ଉନ୍ନତି କରାଯାଉଛି। ଅଭିଭାବକ ମାନଙ୍କୁ ବିଦ୍ୟାଳୟ ପରିସରକୁ ଆଣିବା, ବିଦ୍ୟାଳୟରେ ନିଆଯାଇଥିବା ସୁରକ୍ଷା ବ୍ୟବସ୍ଥା, ସେମାନଙ୍କ ପିଲାଙ୍କ ଶିକ୍ଷାଗତ ଯୋଗ୍ୟତା, ବିଦ୍ୟାଳୟରେ ଅନୁସରଣ କରାଯାଉଥିବା ଶ୍ରେଣୀଗୃହ ଅଭ୍ୟାସ ଜାଣିବା ପାଇଁ ସାମଗ୍ରିକ ପ୍ରୟାସ କରାଯାଇଛି । ଏନେଇ ଅଭିଭାବକଙ୍କ ପରାମର୍ଶ ନିଆଯିବ । ଏହାସହ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଅଭିଭାବକଙ୍କ ସହ ଆଲୋଚନା ହେବ । ଆଗାମୀ ମେ ମାସରେ ବାର୍ଷିକ ବୋର୍ଡ ପରୀକ୍ଷା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା ପାଇଁ ଶିକ୍ଷା ବିଭଗ ଆଗକୁ ଆସିଛି ।
ଭୁବନେଶ୍ବରରୁ ବିକାଶ କମାର ଦାସ, ଇଟିଭି ଭାରତ