ଭୁବନେଶ୍ବର: ଚଳିତବର୍ଷ ମେ ନୁହେଁ ଜୁନ ମାସରେ ହେବ ଖରା ଛୁଟି । ସାଧାରଣତଃ ମେ ୫ ତାରିଖରୁ ଜୁନ ୧୬ ତାରିଖ ପର୍ଯ୍ୟନ୍ତ ଖରା ଛୁଟି ହୁଏ । ହେଲେ ଏଥର ସିଲାବସ ଓ ପାଠପଢାକୁ ଲକ୍ଷ ରଖି ମେ ମାସରେ ସ୍କୁଲ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଜୁନ ୧ରୁ ୧୬ ଉଚ୍ଚଶିକ୍ଷାନୁଷ୍ଠାନର ଛୁଟି ଘୋଷଣା ହୋଇଥିବା ବେଳେ ଜୁନ ୬ରୁ ୧୬ ବିଦ୍ୟାଳୟରେ ହେବ ଖରା ଛୁଟି । ଗ୍ରୀଷ୍ମଛୁଟି କାଣ୍ଟଛାଣ୍ଟକୁ ନେଇ ତେଜିଲାଣି ଅସନ୍ତୋଷ ।
ଏଥର ମାତ୍ର ୧୧ ଦିନ ଛୁଟି ଘୋଷଣା ହୋଇଥିବାରୁ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଧିକାଂଶ ଅଭିଭାବକ ଏହି ନିଷ୍ପଭିକୁ ବିରୋଧ କରିବା ସହ ମେ ମାସରେ ଗ୍ରୀଷ୍ମଛୁଟି ଘୋଷଣା କରାଯାଉ ବୋଲି ଦାବି କରିଛନ୍ତି । ରାଜ୍ୟର ୨୧ ଜିଲ୍ଲାରେ ଏବେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିସାରିଲାଣି । ମେରେ ପାରଦ ଆହୁରି ଉପରମୁହାଁ ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଏଭଳି ତାତିରେ ପିଲାମାନେ କେମିତି ସ୍କୁଲରେ ବସି ପଢ଼ିବେ ଓ ପୂର୍ବାହ୍ନ ୯ଟା ପରେ ଖରାରେ ଘରକୁ ଫେରିବେ ।
ସରକାର ନିଷ୍ପତ୍ତିର ପୁନର୍ବିଚାର କରି ଜୁନ୍ ପରିବର୍ତ୍ତେ ମେ ମାସରେ ଛୁଟି ଦିଅନ୍ତୁ ବୋଲି ଅଭିଭାବକ ମାନେ କହିଛନ୍ତି । ପ୍ରତିବର୍ଷ ଖରାର ପ୍ରବାହକୁ ଦୃଷ୍ଟିରେ ରଖି ସରକାର ମେ ମାସରୁ ଜୁନ୍ ଅଧା ଯାଏଁ ଛୁଟି ଘୋଷଣା କରିଥାନ୍ତି । ଏମିତିକି ଅଧିକ ଗ୍ରୀଷ୍ମ ପ୍ରବାହ ହେଲେ ଏପ୍ରିଲରୁ ବି ଛୁଟି କରାଯାଇଥାଏ । କିନ୍ତୁ, ଏଥର ମେ ମାସର ପ୍ରଚଣ୍ଡ ଖରାରେ ପିଲାଙ୍କୁ ସ୍କୁଲ ଛାଡିବା ପାଇଁ ଅନେକ ଅଭିଭାବକ ଅମଙ୍ଗ ହେଉଛନ୍ତି ।
ୟୁଡିଆଇଏସ୍ଇର ୨୦୨୦-୨୧ ରିପୋର୍ଟ ଅନୁସାରେ, ରାଜ୍ୟର ୩୦ ପ୍ରତିଶତ ସ୍କୁଲରେ ବିଜୁଳି ସଂଯୋଗ ଥାଇ ମଧ୍ୟ ବିଜୁଳି ଜଳୁନି । ସେହିପରି ୧୯ ପ୍ରତିଶତ ସ୍କୁଲରେ ତ ଆଦୌ ବିଦ୍ୟୁତ୍ ନାହିଁ । ଅନ୍ୟ ପକ୍ଷରେ ୩୨ ପ୍ରତିଶତ ସରକାରୀ ସ୍କୁଲ ଓ ୩୪ ପ୍ରତିଶତ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ବିଜୁଳି ଜଳୁନି । ଏପରି ପରିସ୍ଥିତିରେ ପିଲାମାନେ ବିନା ଫ୍ୟାନରେ କିପରି ସ୍କୁଲ କ୍ଳାସ ରୁମରେ ବସିବେ । ତାହାକୁ ନେଇ ଅଭିଭାବକ ମାନେ ଚିନ୍ତା ପ୍ରକଟ କରିଛନ୍ତି ।
ଅନ୍ୟପଟେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ଖରାଛୁଟି ବଦଳାଇବା ଲାଗି ବିଭିନ୍ନ ବର୍ଗରୁ ଅନେକ ପ୍ରସ୍ତାବ ଗଣଶିକ୍ଷା ବିଭାଗକୁ ଆସିଛି । ହେଲେ, ଏନେଇ ବିଭାଗ କୌଣସି ନିଷ୍ପତ୍ତି ନେଇନାହିଁ । ଜୁନ ଆସ ଅପେକ୍ଷା ମେ ମାସରେ ଛୁଟି କରାଯାଉ ବୋଲି ଅଭିଯୋଗ ହୋଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ