ଭୁବନେଶ୍ବର: OUAT ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଆତ୍ମହତ୍ୟା ! ସରକାରୀ କ୍ବାଟରରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଗୋପବନ୍ଧୁ ଛକରେ ଥିବା ସରକାରୀ କ୍ୱାର୍ଟର V(F)_9ରୁ ମୃତଦେହ ଉଦ୍ଧାର କରି ମୃତଦେହ ସଂରକ୍ଷଣ ଗୃହକୁ ପଠାଇଲା ପୋଲିସ । ମୃତ ଆସିଷ୍ଟାଣ୍ଟ ପ୍ରଫେସର ହେଉଛନ୍ତି ବାସନ୍ତି ଜେନା ।
ମହିଳାଙ୍କ ସ୍ବାମୀ ଦେବି ପ୍ରସନ୍ନ ଦାସ ମଧ୍ୟ ଓୟୁଏଟିରେ ପ୍ରଫେସର ଅଛନ୍ତି । ତେବେ କେଉଁ କାରଣକୁ କେନ୍ଦ୍ର କରି ଆସିଷ୍ଟାଣ୍ଟ ପ୍ରଫେସର ଏଭଳି ନିଷ୍ପତ୍ତି ନେଲେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପାରିବାରିକ ଚାପ କିମ୍ବା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହକୁ ନେଇ ଏପରି ହୋଇଥାଏ ପାରେ ବୋଲି ପୋଲିସ ସନ୍ଦେହ କରୁଛି । ଖଣ୍ଡଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ପୋଷ୍ଟମଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ କଣ ତାହା ଜଣାପଡିବ ବୋଲି ପୋଲିସ ସୁତ୍ରରୁ ସୂଚନା ମିଳିଛି।
ଏହି ଘଟଣାରେ ଫରେନ୍ସିକ ଟିମ୍ ଛାନଭିନ ଆରମ୍ଭ କରିଥିବା ବେଳେ ମୃତ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ବାମୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆମର ପ୍ରେମ ବିବାହ ହୋଇଥିଲା । ୨୦୦୪ ମସିହାରୁ ୮ବର୍ଷର ରିଲେସନସିପ ପରେ ୨୦୧୨ରେ ବିବାହ ହୋଇଥିଲା । କେବଳ ପୁଅ ପାଇଁ ଟିକେ ଅପସେଟ ରହୁଥିଲେ । ସ୍ବାମୀ କେଉଁ ଅନ୍ୟ ଯୁବତୀଙ୍କ ସହ କଥା ମଧ୍ୟ ହେଉଥିବା ପତ୍ନୀ ସନ୍ଦେହ କରୁଥିଲେ । କିନ୍ତୁ ସେମିତି କିଛି ନାହିଁ ବୋଲି କହିଛନ୍ତି ଦେବି ପ୍ରସନ୍ନ ଦାସ । ତେବେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ