ଭୁବନେଶ୍ବର: ଆସନ୍ତା ସୋମବାର ଠାରୁ ରାଜ୍ୟ ସଡକ ପରିବହନ ନିଗମ ୬୬ଟି ରୁଟ୍ରେ ବସ ସେବା ପ୍ରଥମ ପଯ୍ୟାୟରେ ଆରମ୍ଭ କରିବ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି, ଆମେ ଆମର ନିତିଦିନିଆ ସର୍ବସାଧାରଣଙ୍କ ପାଇଁ ବସ ସେବା ୯୬ଟି ବସ୍କୁ ନେଇ ଆସନ୍ତା ସୋମବାରଠାରୁ ଆରମ୍ଭ କରିବୁ । ଏହା ରାଜ୍ୟର ୨୨ଟି ସହରକୁ ରାଜଧାନୀ ସହିତ ଯୋଡିବ । ପର୍ଯ୍ୟାୟକ୍ରମରେ ଆମେ ଅଧିକରୁ ଅଧିକ ରୁଟ୍ରେ ଅଧିକ ବସସେବା ଆରମ୍ଭ କରିବୁ ବୋଲି କହିଛନ୍ତି ବୋଥ୍ରା ।
ସେ କହିଥିଲେ ଯେ, ରାଜ୍ୟସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ ପ୍ରବାସୀ ଶ୍ରମିକମାନଙ୍କ ନେବାଆଣିବା କାର୍ଯ୍ୟରେ ନିୟୋଜିତ ଥିଲୁ । ବିଭିନ୍ନ ଜିଲ୍ଲା ପ୍ରଶାସନର ଅନୁରୋଧ ଅନୁଯାୟୀ ବସ ଚଲାଇଥିଲୁ । “ସମୁଦାୟ ୪୪୦ଟି ବସ ମଧ୍ୟରୁ ୭୦ ପ୍ରତିଶତ ବସ ଅତିଥି ଶ୍ରମିକମାନଙ୍କ ସେବାରେ ନିୟୋଜିତ ଥିଲା । ବର୍ତ୍ତମାନ ସେହି କାମ ପ୍ରାୟତଃ ସରିଆସିଥିବାରୁ ଏବଂ ଏତିକି ମଧ୍ୟରେ ସର୍ବସାଧାରଣଙ୍କ ତରଫରୁ ବସ ସେବା ଆରମ୍ଭ କରିବା ଅନୁରୋଧକୁ ରଖିବାପାଇଁ ଆମପାଖରେ ବାକି ଥିବା ବସକୁ ସୋମବାର ଠାରୁ ସାଧାରଣ ସେବାରେ ଆରମ୍ଭ କରାଯାଉଛି” ବୋଲି ବୋଥ୍ରା କହିଛନ୍ତି ।
ସେ ଆହୁରି ଉଲ୍ଲେଖ କରିଥିଲେ ଯେ, ମାସ୍କ ପିନ୍ଧିବା ପାଇଁ ସମସ୍ତ ଯାତ୍ରୀ ବାଧ୍ୟ ଏବଂ ବିନା ମାସ୍କରେ ଯାତ୍ରା କରିବାକୁ ଦିଆଯିବ ନାହିଁ । ସେଭଳି କୌଣସି ଯାତ୍ରୀ ଯାତ୍ରା ସମୟରେ ଠିଆହୋଇ ଯାଇପାରିବେ ନାହିଁ । ଜନସାଧାରଣ ଓ ବସ କର୍ମଚାରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି । ଜରୁରୀକାଳୀନ ଆବଶ୍ୟକ ନଥିଲେ ବସରେ ଯାତ୍ରା କରନ୍ତୁ ନାହିଁ ଓ ବସଷ୍ଟାଣ୍ଡରେ ବସରେ ଚଢିବା ସମୟରେ ନିଶ୍ଚିତ ଭାବରେ ସାମାଜିକ ଦୂରତା ରକ୍ଷା କରନ୍ତୁ । ବସର ବିଶୋଧନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ