ଭୁବନେଶ୍ବର: ଓସ୍କାର ରେସରେ ନାହିଁ ଓଡିଆ ଫିଲ୍ମ 'କାଲିର ଅତୀତ'। ଭୁଲ ପ୍ରମାଣିତ ହୋଇଛି ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ଦାବି। ଓସ୍କାର ପାଇଁ ଫିଲ୍ମ ପଞ୍ଜୀକରଣ ହୋଇଛି, ମନୋନୀତ ନୁହେଁ। ତେବେ ପୂର୍ବରୁ ଫିଲ୍ମ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ହିଁ ନିଜେ ଟ୍ବିଟ କରି ଦେଇଥିଲେ ଏହି ତଥ୍ୟ ଦେଇଥିଲେ। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନିର୍ଦ୍ଦେଶକଙ୍କୁ ଏହି ଫିଲ୍ମ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଶୁଭେଚ୍ଛା ଛୁଟିଥିଲା।
ଫେବୃୟାରୀ 19 ତାରିଖରେ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଟ୍ବିଟ କରି କହିଥିଲେ'' ଚଳିତ ବର୍ଷ କୋରୋନା ପାଇଁ ଏକ ଚ୍ୟାଲେଞ୍ଜିଂ ବର୍ଷ ହେବା ସତ୍ତ୍ବେ ଏକ ଖୁସି ହେବା ଭଳି ଖବର ଆସିଛି। କାଲିର ଅତୀତ ଫିଲ୍ମ ଓସ୍କାରର ସାଧାରଣ ବର୍ଗରେ ସାମିଲ ହୋଇଛି। ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ଅଭିନେତା ,ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଅନ୍ୟ ପୁରସ୍କାର ତାଲିକାରେ ଏହି ଫିଲ୍ମ ରହିଛି। ଏନେଇ ସମସ୍ତଙ୍କ ପାଖରେ ମୁଁ ଋଣୀ।'' ଏହି ଟ୍ବିଟକୁ ଆଧାର କରି ରାଜ୍ୟ ଓ ରାଜ୍ୟ ବାହାରେ ଥିବା ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଏହି ଖବରକୁ ପ୍ରକାଶ କରିଥିଲେ।
ସବୁଠୁ ଦୁଃଖ ବିଷୟ ହେଉଛି ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଉକ୍ତ ଖବରକୁ ସମ୍ପୂର୍ଣ୍ଣ ପ୍ରକାଶ ନକରି ଅର୍ଦ୍ଧସତ୍ୟ ଘଟଣା ଲୋକଙ୍କ ଆଗରେ ରଖିଥିଲେ। ତେବେ ଓସ୍କାର ଦୌଡରେ ସାମିଲ ହେବା ପାଇଁ ଯେକୌଣସି ଚଳଚ୍ଚିତ୍ର ନିଜର ନାମ ଆବେଦନ କରିପାରିବ। ହେଲେ ଫିଲ୍ମ ପଞ୍ଜୀକରଣ ଅର୍ଥ ନୁହେଁ ଏହା ଓସ୍କାରର ଜୁରୀ କମିଟି ଦ୍ବାରା ମନୋନୀତ ହୋଇଯିବା।
ଖବର ଥାଉକି, ଭାରତର ଏକମାତ୍ର ଫିଲ୍ମ ଜାଲିକଟୁ ହିଁ ୨୦୨୦-୨୧ ବର୍ଷ ପାଇଁ ଅସ୍କାର ଦୌଡ଼ିରେ ସାମିଲ ହୋଇଛି। ଏହା ଏକ ମାଲୟାଲମ ଫିଲ୍ମ ହୋଇଥିବା ବେଳେ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଲିଜୋ ଜୋସେ ପେଲିସେରୀ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ