ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ମଙ୍ଗଳବାର ସଂନ୍ଧ୍ୟା ସୁଦ୍ଧା ଳଘୁଚାପ ଅଧିକ ଘନୀଭୂତ ହୋଇ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଯାହାକୁ ନେଇ 7ଟି ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ଜାରି କରିଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ।
ଆସନ୍ତା ୨୪ ଘଣ୍ଟାରେ ଅର୍ଥାତ ବୁଧବାର ରାଜ୍ୟର ପ୍ରାୟ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅରେଞ୍ଜ ୱାର୍ନିଙ୍ଗ ଜାରି କରିଥିବା ୭ଟି ଜିଲ୍ଲା ହେଲା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର । ଏହି ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଛି ।
ଏହାସହ ପ୍ରାୟ ୮ଟି ଜିଲ୍ଲା କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ଦେବଗଡ଼, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିରେ ପ୍ରବଳ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି ।
ସେହିପରି ୬ ଅଗଷ୍ଟରେ ସମ୍ବଲପୁର, ଦେବଗଡ଼, ଝାରସୁଗୁଡା, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ନିଙ୍ଗ ଓ କେନ୍ଦୁଝର, ଅନୁଗୁଳ, ନୂଆପଡା, ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି ।
ଅଗଷ୍ଟ ୪ ଓ ୫ ତାରିଖରେ ଉତ୍ତର ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ଏବଂ ମୌସୁମୀ ପ୍ରଭାବରେ ୪୦ ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି ।
ତେବେ ଚଳିତ ବର୍ଷା ଋତୁରେ ଲଘୁଚାପ କିଛି ନୂଆ ନୁହେଁ । ରାଜ୍ୟରେ ଜୁନ ୧ରୁ ଅଗଷ୍ଟ ୪ ମଧ୍ୟରେ ଓଡ଼ିଶାରେ ଋତୁକାଳୀନ ମୋଟ ୫୧୨.୫ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷା ୬୧୩.୩ ଠାରୁ ୧୬% ପ୍ରତିଶତ କମ୍ ରହିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ