ଭୁବନେଶ୍ବର: ବିଧାନସଭାରେ ଅଚଳାବସ୍ଥା ନେଇ ଉଭୟ ସରକାରୀ ଓ ବିରୋଧୀ ଦଳ ପ୍ରତିକ୍ରିୟା ରଖିଛନ୍ତି । ଅଯଥାରେ କଂଗ୍ରେସ ଗୃହର ମୂଲ୍ୟବାନ ସମୟ ନଷ୍ଟ କରୁଛି ବୋଲି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଅଭିଯୋଗ କରିଛନ୍ତି । ସେହିପରି ଚାଷୀ ଆନ୍ଦୋଳନକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ଓ ବିଜେପି ।
କଂଗ୍ରେସ ଗତକାଲି ଗୃହର ନିୟମ କଥା କହୁଥିଲେ, ହେଲେ ଜାଣିବା କଥା ଏକାଧିକ ପ୍ରସଙ୍ଗ ଗୋଟାଏ ସମୟରେ ଆଲୋଚନା ହୁଏ ନାହିଁ ବୋଲି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି । ଏହାକୁ ଶୂନ୍ୟକାଳରେ ମଧ୍ୟ ଆଲୋଚନା କରାଯାଇପାରିଥାନ୍ତା। ଏମିତି ଅଯଥାରେ ଗୃହର ମୂଲ୍ୟବାନ ସମୟ ନଷ୍ଟ କଲେ କିଛି ସମସ୍ୟାର ସମାଧାନ ହୁଏ ନାହିଁ ବରଂ ଏହା ଖରାପ ପରମ୍ପରା ସୃଷ୍ଟି କରୁଛି। ଏହି ବ୍ୟତିକ୍ରମ ଶୁଭଙ୍କର ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି ।
ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ଚାଷୀ ଆନ୍ଦୋଳନ ପୁରା ରାଜ୍ୟରେ ଦେଖାଯାଇଛି। ଧାନ କିଣା ହୋଇପାରୁନାହିଁ। ଏପରିକି ଯାଜପୁର ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ, ବାଇପାସ ରାସ୍ତା କାମ ହେଉନି। ସଂଖ୍ୟା ପାଇଁ ସରକାରଙ୍କ ଅହଂକାର ବଢିଯାଇଛି ।
ବିଜେପି ବିଧାୟକ ଜୟନାରାୟନ ମିଶ୍ର କହିଛନ୍ତି, ଚାଷୀ ସମସ୍ୟା ଗୁରୁତର ସମସ୍ୟା। ଏହାକୁ ନେଇ ରାଜରାସ୍ତାରେ ଚାଷୀ। ବାରମ୍ବାର ଗୃହ କାର୍ଯ୍ୟ ବନ୍ଦ କରିବା ଠିକ ନୁହେଁ। ପ୍ରସଙ୍ଗକୁ ଶୂନ୍ୟକାଳରେ ଉଠାଯାଇପାରିଥାନ୍ତା ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ