ଭୁବନେଶ୍ବର: ରାଜ୍ୟରେ ବଡ଼ବନ୍ୟା ଯୋଗୁଁ ଲୋକଙ୍କ ହାଲ୍ ବେହାଲ ହୋଇଛି (flood in Odisha) । ରାସ୍ତାଘାଟ ବୁଡ଼ି ବନ୍ୟାଞ୍ଚଳ ନଦୀ ବା ବୃହତ ଜଳାଶୟର ଭ୍ରମ ସୃଷ୍ଟି କରୁଛି । ବନ୍ୟାବିପନ୍ନ ଘର ଛାଡ଼ି ରାସ୍ତା ଉପରେ ରହିବାକୁ ବାଧ୍ୟ ହେଉଛନ୍ତି । ଏହି ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦୋଷୀ ସଜାଇଛନ୍ତି ବରିଷ୍ଠ ଇଞ୍ଜିନିୟର ଓ ବିରୋଧୀ (Opposition targets state govt over flood situation) । ତେବେ ବନ୍ୟା ନିୟନ୍ତ୍ରଣରେ ସରକାର ଫେଲ ମାରିଛନ୍ତି ଏବଂ ଏହି 5ଟି ବଡ ତୃଟି ପାଇଁ ରାଜ୍ୟରେ ଏପରି ପରିସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ।
- ନଦୀବନ୍ଧ ସୁରକ୍ଷା ନେଇ ସମୀକ୍ଷା ବୈଠକ ନହେବା
- ରୁଲ କର୍ଭର ଉଲ୍ଲଙ୍ଘନ
- ଛତିଶଗଡ ଓ ଓଡିଶା ମଧ୍ୟରେ ସମନ୍ବୟର ଅଭାବ ଇତ୍ୟାଦି ପ୍ରମୁଖ ଭୁଲ
- ନଦୀବନ୍ଧ ଓ ବ୍ୟାରେଜ ପ୍ରତିଶ୍ରୁତି ମୁତାବିକ ତିଆରି ନହେବା
- ତଳମୁଣ୍ଡରେ ଜଳ ନିଷ୍କାସନ ତଥ୍ୟ ଭୁଲ ଦେବା ଏବଂ ଅନିୟମିତତା
ପ୍ରତିଶୃତିକୁ ରାଜ୍ୟ ସରକାରଙ୍କ ଅଣଦେଖା
ହୀରାକୁଦ ଡ୍ୟାମ୍ ନିର୍ମାଣ ପରେ ଟିକରପଡ଼ା ଓ ମୁଣ୍ଡୁଳୀରେ ମଧ୍ୟ ଡ୍ୟାମ୍ ନିର୍ମାଣ କରିବାକୁ ରାଜ୍ୟ ସରକାର ପ୍ରତିଶୃତି ଦେଇଥିଲେ । ତେବେ ତାହା ହୋଇପାରିଲା ନାହିଁ । ଏହାପରେ ୨୦୧୮ରେ ମଧ୍ୟ ରାଜ୍ୟରେ ୭ଟି ବ୍ୟାରେଜ ନିର୍ମାଣ କରିବାକୁ ପ୍ରତିଶୃତି ଦେଇଥିଲେ । ତାହା ମଧ୍ୟ ହୋଇ ପାରିଲା ନାହିଁ । ରାଜ୍ୟ ସରକାର କେବଳ ହୀରାକୁଦ ଡ୍ୟାମ୍ ଉପରେ ଭରସା କରି ରହିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ହୀରାକୁଦରେ ପଟୁମାଟି ଜମା ହେଉଥିବାରୁ ଜଳ ନିୟନ୍ତ୍ରଣରେ ଅସୁବିଧା ହେଉଥିବା ଆଶଙ୍କା କରାଯାଉଛି ।
ଏହାକୁ ନେଇ ପ୍ରତିକ୍ରିୟା ଦେଇ ଇଞ୍ଜିନିୟର ଲଳିତ ପଟ୍ଟନାୟକ କହିଛନ୍ତି, "ବନ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ପାଖରେ କୌଣସି ଆକ୍ସନ ପ୍ଲାନ୍ ନାହିଁ । ଏଥର ତେଲ ନଦୀରୁ ୫ ଲକ୍ଷ କ୍ୟୁସେକ୍ ଜଳ ମହାନଦୀରେ ମିଶିଛି । ଫଳରେ ବନ୍ୟାସ୍ଥିତି ଆହୁରି ବିଗିଡ଼ିଲା ।"
ବନ୍ୟା ନେଇ ବିରୋଧୀଙ୍କ ଟାର୍ଗେଟ
ରାଜ୍ୟର ୧୨ ଜିଲ୍ଲାରେ ବନ୍ୟା ବିଭୀଷିକା ଜାରି ରହିଛି । ମହାନଦୀରେ ବନ୍ୟାଜଳସ୍ତର କମିବାରେ ଲାଗିଛି । ଏହାସତ୍ତ୍ବେ ସଙ୍କଟ ଟଳିନାହିଁ ବୋଲି କହିଥିଲେ ସ୍ବତନ୍ତ୍ର ରିଲିଫ କମିଶନର । ସେପଟେ ରାଜ୍ୟ ସରକାର ବନ୍ୟା ନିୟନ୍ତ୍ରଣ କରିବାରେ ଫେଲ୍ ମାରିଥିବା ଅଭିଯୋଗ କରିଛି ବିରୋଧୀ । ବନ୍ୟା ନିୟନ୍ତ୍ରଣ ଫେଲ୍ ନେଇ ରାଜ୍ୟ ସରକାରଙ୍କ ଦୋଷ ଗଣାଇଛନ୍ତି ବିଜେପି ମୁଖପାତ୍ର ।
ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ହୀରାକୁଦ ବନ୍ଧ ଜଳ ନିୟନ୍ତ୍ରଣ ପାଇଁ 1962ରେ ଏକ ରୁଲ୍ କର୍ଭ ନିୟମ କରାଯାଇଥିଲା । ୧୯୮୪ରେ ଶେଷ ଥର ପାଇଁ ଏହି ନିୟମରେ ସଂଶୋଧନ କରାଯାଇଥିଲା । ୩୮ ବର୍ଷ ହେଲା ଏହି ନିୟମରେ ସଂଶୋଧନ ହୋଇନାହିଁ । ନଦୀବନ୍ଧ ସୁରକ୍ଷା ନେଇ ସମୀକ୍ଷା ବୈଠକ ନହେବା, ରୁଲ୍ କର୍ଭର ଉଲ୍ଲଙ୍ଘନ, ଛତିଶଗଡ ଓ ଓଡିଶା ମଧ୍ୟରେ ସମନ୍ବୟର ଅଭାବରୁ ରାଜ୍ୟ ସରକାର ବନ୍ୟା ନିୟନ୍ତ୍ରଣ କରିବାରେ ଫେଲ ମାରିଛି ।"
ମନ୍ତ୍ରୀ କହିଲେ ଅଭିଯୋଗ ଭିତ୍ତିହୀନ
ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ନେଇ ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସେ କହିଛନ୍ତି, " ରୁଲ୍ କର୍ଭ ନିୟମ ସଠିକ ଭାବରେ ପାଳନ ହୋଇଛି । ୨୦୧୧ ପରେ ବନ୍ୟା ଆସିଥିଲା । ଏହାପରେ ନଦୀବନ୍ଧ ନିର୍ମାଣ ହୋଇଛି । ବ୍ୟାରେଜ ସୁଦୃଢ଼ ହେଉଛି ଏଥିପାଇଁ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ହୋଇଛି । ଯେଉଁମାନେ କାମ କରନ୍ତି ନାହିଁ ସେମାନେ ଅଭିଯୋଗ କରନ୍ତି । ଯଦି କୌଣସି ସ୍ଥାନରେ କର୍ଭ ନିୟମ ଅନୁପାଳନ ହେଉନାହିଁ ସେଠାରେ ମୁଁ ସମୀକ୍ଷା କରି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବି ।"
ବନ୍ୟା ବିପତ୍ତିର ସମାଧାନ
ତେଲ୍ ନଦୀରେ ଅତନ୍ତଃ ଦୁଇଟି ବ୍ୟାରେଜ ଆବଶ୍ୟକ । ତାସହିତ ଟିକରପଡ଼ା ଓ ବରମୂଳ ପାଖରେ ମଧ୍ୟ ଡ୍ୟାମ୍ ଆବଶ୍ୟକ । ଏପରି ବନ୍ୟାର ସ୍ଥାୟୀ ସମାଧାନ ସମ୍ଭବ । ଆନ୍ଧ୍ର ପ୍ରଦେଶ ବନ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟରେ ପୋଲାଭରମ ପ୍ରକଳ୍ପ କରିଛି । ସପେଟ ଛତିଶଗଡ଼ ସରକାର ମଧ୍ୟ ଅନେକ ବ୍ୟାରେଜ ନିର୍ମାଣ କରିଛନ୍ତି । ରାଜ୍ୟରେ ଲଘୁଚାପ ଜନିତ ବନ୍ୟା ହେବା ହିଁ ସମ୍ଭବ । ବ୍ୟାରେଜ ଓ ନଦୀବନ୍ଧ ପ୍ରତି ସରକାର ଧ୍ୟାନ ଦେଲେ ଲୋକେ ଦୁର୍ଦ୍ଦଶା ପାଇବେ ନାହିଁ ବୋଲି କହିଛନ୍ତି ଇଞ୍ଜିନିୟର ଲଳିତ ପଟ୍ଟନାୟକ ।
ଏବେ ବଡ ପ୍ରଶ୍ନ, କାହିଁକି ଉପରମୁଣ୍ଡରେ ଅଧିକ ବର୍ଷାର ସୂଚନା ଥିବା ସତ୍ତ୍ବେ ହୀରାକୁଦରେ ସଠିକ ଭାବେ କାହିଁକି ବନ୍ୟା ପରିଚାଳନା ହୋଇପାରିଲା ନାହିଁ ? କାହିଁକି ତଳ ମୁଣ୍ଡରେ ରାଜ୍ୟ ସରକାର ପ୍ରତିଶୃତି ଦେଇଥିବା ବ୍ୟାରେଜ ନିର୍ମାଣ କାମ ଆରମ୍ଭ ହୋଇପାରୁନି ? ବନ୍ୟାର କଣ ସ୍ଥାୟୀ ପ୍ରତିକାର ସମ୍ଭବ ନୁହେଁ ? ଯଦି ସମ୍ଭବ, ତେବେ ପ୍ରତିବର୍ଷ କାହିଁକି ରାଜ୍ୟ ସରକାରଙ୍କ ଭୁଲ ପାଇଁ ଲକ୍ଷ ଲକ୍ଷ ଲୋକେ ଦୁର୍ଦ୍ଦଶାର ଶିକାର ହେଉଛନ୍ତି ?