ଭୁବନେଶ୍ବର: ଛାଡିଯାଇଛି ବନ୍ୟା ହେଲେ ବଢିଛି ଲୋକଙ୍କ ଦୁର୍ଦ୍ଦଶା । ରାଜ୍ୟରେ ବନ୍ୟା ଯୋଗୁଁ ୮ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କେଉଁଠି ଘର ଭାଙ୍ଗିଛି ତ କେଉଁଠି ହେକ୍ଟର ହେକ୍ଟର ଚାଷଜମି ନଷ୍ଟ ହୋଇଛି । ଏପରିକି ଅନେକ ରାସ୍ତାଘାଟ ଧୋଇ ହୋଇଛି ଘାଇ ମଧ୍ୟ ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କ ସୂଚନାନୁସାରେ ପ୍ରାଥମିକ ଆକଳନରେ ବନ୍ୟା ଯୋଗୁଁ ୧୦ ହଜାର ଘର ଭାଙ୍ଗିଥିବା ୨ ଲକ୍ଷ ହେକ୍ଟରରୁ ଅଧିକ ଚାଷଜମିର ଫସଲ ନଷ୍ଟ ହୋଇଛି । ଏନେଇ ତୁରନ୍ତ କେନ୍ଦ୍ରୀୟ ଟିମ ବନ୍ୟାଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରକୁ ଅବଗତ କରିଛି ରାଜ୍ୟ । ହେଲେ ଏଯାବତ କେନ୍ଦ୍ରୀୟ ଟିମ ଆସିବ କି ନାହିଁ ତାର କୌଣସି ସୂଚନା ପାଇନାହିଁ ରାଜ୍ୟ । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଓ ବିଜେଡି ।
ବିଜେଡି ଦଳ ଯୁକ୍ତି ବାଢିଛି ଯେ ଯଦି କେନ୍ଦ୍ରୀୟ ଟିମ ବିଳମ୍ବରେ ଆସିବେ ତାହେଲେ ସଠିକ ଆକଳନ ହୋଇପାରିବନାହିଁ । ସେପଟେ କଂଗ୍ରେସ ମଧ୍ୟ ତୁରନ୍ତ କେନ୍ଦ୍ରୀୟ ଟିମ ଓଡିଶା ଆସି କ୍ଷୟକ୍ଷତି ଆକଳନ କରିବା ପାଇଁ ଦାବି କରିଛି । ବନ୍ୟାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଛି ।
ତେବେ ଏନେଇ ବିଜେପି ନିଜ ପ୍ରତିକ୍ରିୟା ରଖି କହିଛି ଯେ, ଖୁବ ଶୀଘ୍ର କେନ୍ଦ୍ରୀୟ ଟିମ ଆସିବ ଏବଂ କ୍ଷୟକ୍ଷତି ଆକଳନ କରି ଉପଯୁକ୍ତ ପଦକ୍ଷେପ ନେବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ