ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ବିଶ୍ଵବିଦ୍ୟାଳୟ ଆଇନ ସଂଶୋଧନକୁ ନେଇ ତେଜିବାରେ ଲାଗିଛି ବିରୋଧୀଙ୍କ ସ୍ବର । ଏନେଇ ବିଜେପି ପକ୍ଷରୁ ଏକ ପ୍ରେସମିଟ ଜରିଆରେ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ବର୍ଷିଛନ୍ତି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିହାଂର କହିଛନ୍ତି ।
ଲେଖାଶ୍ରୀ କହିଛନ୍ତି କ୍ୟାବିନେଟର ଏହି ନିଷ୍ପତ୍ତି ଯୋଗୁଁ ବିଶ୍ଵବିଦ୍ୟାଳୟଗୁଡ଼ିକର ଅଟୋନମି ନଷ୍ଟ ହେବ । ଗବେଷଣା ଓ ଗୁଣାତ୍ମକ ଶିକ୍ଷାର ମାନ କମିବ। ଓପିଏସସିର ସାମର୍ଥ୍ୟ ନାହିଁ ଯେ ଶିକ୍ଷାବିତଙ୍କୁ ଚୟନ କରିବ। ସର୍ଚ୍ଚ କମିଟିରେ ରାଜ୍ୟ ସରକାରଙ୍କ ଜଣେ ପ୍ରତିନିଧି ରହିବେ ବୋଲି ଅଧ୍ୟାଦେଶରେ ଉଲ୍ଲେଖ ରହିଛି । ସିନେଟ ହଟାଇବା ଦର୍ଶାଉଛି କି ଏହା ପଛରେ ଏକ ଷଡଯନ୍ତ୍ର ରହିଛି। ନିଯୁକ୍ତି, କୁଳପତି ଚୟନ ଓ ବିଶ୍ଵବିଦ୍ୟାଳୟ ପରିଚାଳନାକୁ ସରକାର ନିଜ ନିୟନ୍ତ୍ରଣକୁ ଆଣିବାକୁ ଏହି ଯୋଜନା କରିଛନ୍ତି ବୋଲି କହିଛନ୍ତି ଲେଖାଶ୍ରୀ ।
ସେହିପରି ବିଜେପିର ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଏହା ତରବରିଆ ଓ ଆବଶ୍ୟକତା ବିହୀନ ନିଷ୍ପତ୍ତି । ଅଧ୍ୟାଦେଶ ଦ୍ଵାରା ନିୟମକୁ ବଦଳାଇବା କଣ ଏତେ ଜରୁରୀ ଥିଲା ବୋଲି ପ୍ରଶ୍ନ କରିଛନ୍ତି ପୃ୍ଥ୍ବୀରାଜ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଅଗଣତାନ୍ତ୍ରିକ ପ୍ରକ୍ରିୟା। ସିନେଟ ଅଚଳ ହେଲା ବୋଲି ସରକାର କହୁଛନ୍ତି। ତାକୁ କିଏ ଅଚଳ କଲା, ତାର ଉତ୍ତର ଦିଅନ୍ତୁ ସରକାର। ବିଶ୍ଵବିଦ୍ୟାଳୟର ଖର୍ଚ୍ଚର ବିବରଣୀକୁ ବିଧାନସଭାରେ ଉପସ୍ଥାପନା କରାନଯିବା ନିଷ୍ପତ୍ତି କାହା ସ୍ବାର୍ଥରେ ? ବିଶ୍ଵ ବିଦ୍ୟାଳୟକୁ ଅମଲାତନ୍ତ୍ରୀକରଣ କରିବାକୁ ବିରୋଧ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, ଏହି ନିଷ୍ପତ୍ତି ବିରୋଧରେ ସମସ୍ତ ଆଇନଗତ ଲଢେଇ ଆରମ୍ଭ ହେବ । ରାଜ୍ୟ ସରକାରଙ୍କ କ୍ଷମତା ଉପରେ ପ୍ରଶ୍ନବାଚୀ ଉଠୁଛି। ଏହା ସମ୍ବିଧାନ ବିରୋଧୀ। ଉଚ୍ଚଶିକ୍ଷା ସମ୍ପର୍କିତ ଆଇନ ପ୍ରଣୟନ କେନ୍ଦ୍ର ସରକାରଙ୍କ ବ୍ୟାପାର। ରଥ ଯାତ୍ରା ସମୟରେ ଯେଭଳି ନ୍ୟାୟିକ ଲଢେଇରେ ସରକାର ହାରିଲେ ସେଭଳି ସ୍ଥିତି ହେବନି ତ ବୋଲି ପ୍ରଶ୍ନ କରିଛନ୍ତି ପିତାମ୍ବର । ବିଶ୍ଵବିଦ୍ୟାଳୟକୁ ମହାବିଦ୍ୟାଳୟରେ ପରିଣତ କରିବାକୁ ସରକାର ଚେଷ୍ଟା କରୁଛନ୍ତି। କ୍ଷମତାକୁ ହାତକୁ ନେବାକୁ ଏହା ପ୍ରୟାସ । ଅଧ୍ୟାଦେଶକୁ ମୋହର ଲଗାଇବା ପୂର୍ବରୁ ସରକାର ତର୍ଜମା କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ପିତାମ୍ବର ।
ଏପଟେ କଂଗ୍ରେସ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛି । କଂଗ୍ରେସ ଛାତ୍ର ନେତା ମନୋଜ ବିଶ୍ବାଳ କହିଛନ୍ତି, ସରକାର ଏହାର ପୁର୍ନବିଚାର କରନ୍ତୁ ।
ସେପଟେ ବିରୋଧିଙ୍କ ପ୍ରଶ୍ନର ଜବାବ ରଖିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ସେ କହିଛନ୍ତି ଯେ, ଉଚ୍ଚ ଶିକ୍ଷା କ୍ଷେତ୍ରରେ ଯେଉଁ ସଂସ୍କାର ଅଣାଯାଇଛି ସେ ସମ୍ପର୍କରେ ବିଚାରବିମର୍ଷ କରାଯାଇଛି । ଶିକ୍ଷାବିତଙ୍କ ପରାମର୍ଶ ନିଆଯାଇଛି । ବିଶ୍ଵବିଦ୍ୟାଳୟଗୁଡ଼ିକର ଅଟୋନମୀ ରହିବ । ଓପିଏସସି ଯଦି ନିଯୁକ୍ତି କରେ ତାହେଲେ ନିଯୁକ୍ତି ପ୍ରକ୍ରିୟାରେ ପାରଦର୍ଶିତା ରହିବ ବୋଲି ଶତପଥି ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ