ଭୁବନେଶ୍ବର: ରାଜ୍ୟ ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରିବାରେ ଲାଗିଛନ୍ତି । କୌଣସି ଯୋଜନାର ଭବିଷ୍ୟତ ଉଜ୍ଜଳ ନୁହେଁ । ଯୋଜନା ଲୋକଙ୍କ ପାଇଁ କେତେ ଫଳ ପ୍ରଦ ହେଉଛି ତାହା ମଧ୍ୟ ସରକାରଙ୍କୁ ଜଣା ନାହିଁ । ଓଡିଆଙ୍କ ଆରଧ୍ୟ ଦେବତା ମହାପ୍ରଭୁ କାଳିଆଙ୍କ ଯେମିତି ଆଦି ଅନ୍ତ ନାହିଁ, ସେମିତି ‘କାଳିଆ ଯୋଜନା’ର ମଧ୍ୟ ନା ଅଛି ଆଦି ନା ଅଛି ଅନ୍ତ । ଫଳରେ କୋଟିକୋଟି ଟଙ୍କା କିଏ ? କେମିତି ଖାଉଛି ତାହା ମଧ୍ୟ ସରକାରଙ୍କୁ ଜଣା ନାହିଁ ।
ଆଜି ବିଧାନସଭାରେ ସରକାରଙ୍କୁ ଏମିତି ଢଙ୍ଗରେ ଶଣ୍ଢୁଆସି ଆକ୍ରମଣ କରିଥିଲେ ବିରୋଧୀ । ବିରୋଧୀ ବିଜେପି କାଳିଆ ପ୍ରସଙ୍ଗରେ ଆଣିଥିବା ମୁଲତବୀ ନୋଟିସ ଉପରେ ଆଲୋଚନା ଆରମ୍ଭ କରି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ସରକାରଙ୍କୁ ଯୋଜନାର ନାମକରଣ ଓଡିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ କରିବା ନେଇ ସମାଲୋଚନା କରିଥିଲେ । ତେବେ ତାଙ୍କ ଭାଷଣ ଲମ୍ବା ହେବାରୁ ଉପ-ବାଚସ୍ପତି ଏହାକୁ କମ ସମୟରେ ସାରିବା ପାଇଁ କହିଥିଲେ ଏହାକୁ ବିଜେପି ପ୍ରତିବାଦ କରିବା ସହ ଦଳ ଆଲୋଚନାରୁ ଓହରି ଯାଇଥିଲେ । ପରେ ମୋହନ ମାଝୀ ଅଭିଯୋଗ କରିଥିଲେ ଯେ, ବାଚସ୍ପତି ଗୃହରେ ବିରୋଧୀ ଦଳକୁ କହିବାର ସୁଯୋଗ ଦେଉନାହାଁନ୍ତି ।
ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଜଣେ ଚାଷୀ କିଭଳି ଭୂମିହୀନ ହେଲା, ଏହି ଯୋଜନା ପାଇଁ ଗତ ଆର୍ଥିକ ବର୍ଷରେ ବଜେଟରେ ବ୍ୟୟ ବରାଦ ହୋଇଥିଲା କି, ଭାଗଚାଷୀଙ୍କୁ ସରକାର କେଉଁ ଆଇନ ବଳରେ ସହୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଏବଂ ସର୍ବୋପରି କାଳିଆ ଯୋଜନାରେ ଚାଷୀଙ୍କୁ ସହୟତା ମିଳିଛି କି ନାହିଁ ତାର ପ୍ରମାଣ ମାଗିଥିଲେ ।
ସେପଟେ ମନ୍ତ୍ରୀ ଉତ୍ତର ଦେଇ କହିଥିଲେ 2018-19 ଆର୍ଥିକ ବର୍ଷର ରବି ଋତୁରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଏବେ ସୁଦ୍ଧା 36 ଲକ୍ଷ 34 ହଜାର 710 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ 5000 ଟଙ୍କାର ସହାୟତା ରାଶି ଦିଆଯାଇଛି । ଏହି ଯୋଜନାରେ 50 ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ସାମିଲ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ସେହିଭଳି ଭୂମିହୀନ କୃଷି ପରିବାରର ଆର୍ଥିକ ବୃଦ୍ଧି ପାଇଁ ଆନୁସଙ୍ଗିକ କୃଷି କାର୍ଯ୍ୟକ୍ରମ ସହାୟତା ବାବଦରେ ତିନୋଟି ପର୍ଯ୍ୟାୟରେ 12500 ଟଙ୍କା ଯୋଗାଇ ଦିଆଯିବ । ଏଥିରେ 25 ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 14 ଲକ୍ଷ 70 ହଜାର 580 ପରିବାରକୁ ପ୍ରଥମ କିସ୍ତିର 5000 ଟଙ୍କା ସହାୟତା ଦିଆଯାଇଛି ବୋଲି କୃଷିମନ୍ତ୍ରୀ କହିଛନ୍ତି ।
ଏଥି ସହ ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ଯେତେ ଚାଷୀଙ୍କୁ କାଳିଆ ସହାୟତା ରାଶି ପ୍ରଦାନ କରାଯାଇଛି ତାର ପୂର୍ଣ୍ଣାଙ୍ଗ ତାଲିକା ପବ୍ଲିକ ଡୋମେନରେ ପ୍ରକାଶ କରାଯିବ ବୋଲି କୃଷିମନ୍ତ୍ରୀ ଗୃହରେ ଘୋଷଣା କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ