ଭୁବନେଶ୍ବର: ରାଜଧାନୀର ନୟାପଲ୍ଲୀ ଏନ ୩ରେ ପ୍ରଣବ ରାୟଙ୍କୁ ଆକ୍ରମଣ ଘଟଣାରେ ସାମ୍ନାକୁ ଆସିଛି ପୋଲିସର ଗୁଣ୍ଡାଗିରି । କିଭଳି ଏକ ଜମିବାଡ଼ି ବିବାଦ ମାମଲାରେ ଜବରଦଖଲ ପାଇଁ ଗଣ୍ଡଗୋଳବେଳେ ଅପରାଧୀକୁ ପୋଲିସ କରିଥିଲେ ସହଯୋଗ । ଅଭିଯୋଗ ଅନୁସାରେ ୨୦ଜଣ ଦୁର୍ବୃତ୍ତ ପ୍ରଣବ ରାୟଙ୍କ ଘରେ ଜବରଦସ୍ତ ପଶିବା ସହ ଗାଳିଗୁଲଜ ଓ ଆକ୍ରମଣ କରିଛନ୍ତି । ତାହା ପୁଣି ପୋଲିସ ଉପସ୍ଥିତିରେ ଏବଂ ଜଣେ ହାବିଲଦାର ମଧ୍ୟ ଏଥିରେ ସହଯୋଗ କରିଛନ୍ତି । ଘଟଣାଟି କମିଶନରେଟ ପୋଲିସର ଦାଦାଗରି ଓ ଗୁଣ୍ଡାଗିରିର ଦୃଶ୍ୟ ସାମ୍ନାକୁ ଆଣିଛି ।
ବଡ କଥା ହେଉଛି ଏଠାରେ ଜଣେ ପୋଲିସ କର୍ମଚାରୀ ଯେ କି ଲୋକଙ୍କୁ ସୁରକ୍ଷା ଦେବା କଥା ସେ କିଛି ଅପରାଧିଙ୍କ ସହ ମିଶି ସୁରକ୍ଷା ଆଳରେ ସେମାନଙ୍କୁ ସହଯୋଗ କରିଛନ୍ତି । ସେପଟେ ଭୁବନେଶ୍ବର ଡିସିପି କହିଛନ୍ତି, ଜମିବାଡି ବିବାଦୀୟ ପ୍ରସଙ୍ଗକୁ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ଆଧାରରେ ୧୭ ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ଏମାନଙ୍କୁ ସହଯୋଗ କରୁଥିବା ଜଣେ ହାବିଲଦାରକୁ ମଧ୍ୟ ପୋଲିସ ଗିରଫ କରିଛି । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ପୋଲିସ କମିଶନର ଏଠି ମୋ ସରକାର ଆଧାରରେ ଅଭିଯୋଗକାରୀଙ୍କୁ କଲ୍ କରି ସମସ୍ୟା ସମ୍ପର୍କରେ ବୁଝୁଛନ୍ତି । ହେଲେ ଅନ୍ୟପଟେ ବିଭାଗର ଜଣେ ହାବିଲଦାର ଅପରାଧୀଙ୍କୁ ସହଯୋଗ କରି ବନ୍ଧା ହେଉଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି କେମିତି ଚାଲିଛି ମୋ ସରକାର।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ