ଭୁବନେଶ୍ବର: ସାବଧାନ ! ରାଜଧାନୀରେ ଅଟୋରେ ବସିଲେ ବା ଅଟୋରେ ବସିବାକୁ ଥିଲେ ହୋଇଯାନ୍ତୁ ହୁସିଆର । ନଚେତ ଆପଣ ହୋଇପାରନ୍ତି ଲୁଟର ଶିକାର । କାରଣ ରାଜଧାନୀ ଭୁବନେଶ୍ବରରେ ଏମିତି କିଛି ଘଟଣା ଯାହାକୁ ନେଇ ଖେଳିଯାଇଛି ଭୟର ମାହୋଲ । ଗତ ଶନିବାର ଦିନ ଯାଜପୁର ବରୀର ବିଷ୍ଣୁଚରଣ ସାହୁ ନାମକ ଜଣେ ୬୫ ବର୍ଷିୟ ବୃଦ୍ଧ ହୋଇଛନ୍ତି ଅଟୋ ଚାଳକଙ୍କ ଶିକାର । ବୃଦ୍ଧ ଜଣକ ନିଜ ଘର ବରୀ ବରୁଆଁକୁ ଯିବାକୁ ଫାୟାର ଷ୍ଟେସନ ଛକରେ ସକାଳ ୮ଟା ସମୟରେ ଅପେକ୍ଷା କରିଥିବା ବେଳେ ଦୁଇଜଣ ଅଟୋ ଚାଳକ ଏକ ଅଟୋରେ ଆସି ତାଙ୍କ ନିକଟକୁ ପହଞ୍ଚିଲେ ।

ସେଠାରେ ବୃଦ୍ଧ ଜଣଙ୍କୁ କୁଆଡେ ଯିବେ ବୋଲି ପଚାରିଥିଲେ । ପରେ ମଉସା ବରୀ ଯିବାକୁ କହିଥିବା ବେଳେ ଆମେ ପାଖଗାଁ ଲୋକ କହି ମଉସାକୁ ପଛରେ ବସାଇଥିଲେ । ପରେ କିଛି ବାଟ ଯାଇ ରାଜଧାନୀ ପାର ହେବା ପରେ ବାଟରେ ମଉସାକୁ ଅମୁଲ କୁଲ ପିଇବାକୁ ଦେଇଥିଲେ । ତେବେ ସେଥିରେ କିଛି ନିଶା ଦ୍ରବ୍ଯ ମିଶିଥିବାରୁ ବୃଦ୍ଧ ମଉସା ଜଣଙ୍କ ପିଇବାର କିଛି ସମୟ ପରେ ବେହୋସ ହୋଇଯାଇଥିଲେ । ପରେ ଅଟୋ ଚାଳକ ଓ ତାର ସହଯୋଗୀ ବୃଦ୍ଧଙ୍କ କିଛି ନୁଆ ଲୁଗାପଟା ଓ ପାଖରେ ଥିବା ୫୦୦୦ ଟଙ୍କା ନେଇ ତାଙ୍କୁ ନେଇ ଜଗତସିଂହପୁର ବାଲିକୁଦା ବସଷ୍ଟାଣ୍ଡ ପଛ ପଟେ ଛାଡି ଦେଇଯାଇଥିଲେ ।
ତେବେ ବୃଦ୍ଧ ପାଖରେ ଏକ ଛୋଟ ମୋବାଇଲଟି ନିଜ ପିନ୍ଧା ଲୁଗାର ଗଣ୍ଠି ଭିତରେ ରଖିଥିଲେ । ସେପଟେ ବୃଦ୍ଧଙ୍କ ଜ୍ବାଇଁ ବୃଦ୍ଧ ଜଣଙ୍କୁ କଲ କରିବା ପରେ ମଧ୍ୟ ସେ ଫୋନ ନଉଠାଇବାରୁ ନୟାପଲ୍ଲୀ ଥାନାରେ ରାତି ୯ଟାରେ ମିସିଂ ରିପୋର୍ଟ ଦେଇଥିଲେ । ସେପଟେ ସକାଳୁ ବୃଦ୍ଧ ଜଣକ ଫୋନ ଉଠାଇବା ପରେ ବାଲିକୁଦାରୁ ତାଙ୍କୁ ନେବା ପାଇଁ କହିଥିଲେ । ପରେ ନୟାପଲ୍ଲୀ ଥାନା ଆଇଆଇସି ତୁରନ୍ତ ନମ୍ବର ଟ୍ରାକ କରାଯାଇଥିଲା । ତେବେ ଲୋକେସନ ଟ୍ରେସ ହେବା ପରେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଥିଲା ।
ଏନେଇ ପୋଲିସ ଅଟୋ ଡ୍ରାଇଭରକୁ ଟ୍ରାକ କରିବାକୁ ଉଦ୍ଯମ କରୁଛି । ତେବେ ରାଜଧାନୀ ଉପକଣ୍ଠକୁ ଯିବାକୁ ଥିବା ଲୋକଙ୍କୁ ଏପରି ଟାର୍ଗେଟ କରାଯାଉଥିବା ପୋଲିସ ସୁତ୍ରରୁ ସୁଚନା ମିଳିଛି । ଏ ଦିଗ ପ୍ରତି ଧ୍ଯାନ ଦେବାକୁ ଦାବି ହୋଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ