ଭୁବନେଶ୍ବର: ବେସରକାରୀ ବିଦ୍ୟାଳୟରେ ଫି ଧାର୍ଯ୍ୟ କରାଇବାକୁ ଗଣଶିକ୍ଷା ସଚିବଙ୍କୁ ଓଏଚଆରସି ତଲବ । ବେସରକାରୀ ବିଦ୍ୟାଳୟରେ ଫି ନିର୍ଦ୍ଧାରଣ କମିଟି ରିପୋର୍ଟ ଲାଗୁ ନହେବା ନେଇ ରାଜ୍ୟ ଗଣଶିକ୍ଷା ସଚିବଙ୍କୁ ରାଜ୍ୟ ମାନବାଧିକାର କମିସନଙ୍କ ଜବାବ ତଲବ ।
ରାଜ୍ୟରେ ବେସରକାରୀ ବିଦ୍ୟାଳୟରେ ସ୍ବତନ୍ତ୍ର ଭାବେ ଫି ଆଦାୟକୁ ନେଇ କିଛି ସ୍ପଷ୍ଟ ନିୟମ ଓ ନିର୍ଦ୍ଦେଶାବଳୀ ନଥିବାରୁ ବେସରକାରୀ ସ୍କୁଲ ଅଭିଭାବକଙ୍କ ଠାରୁ ମନଇଚ୍ଛା ଫିସ୍ ଆଦାୟ କରୁଛନ୍ତି l ବିଭିନ୍ନ ଆଳ ଦେଖାଇ ବେଆଇନ ଫିସ ସହ ଓ ବାର୍ଷିକ ସ୍ତରରେ ମଧ୍ୟ ଅନେକ ଫି ଆଦାୟ କରୁଛନ୍ତି l ଏହାଦ୍ବାରା ଛୋଟ ବିଦ୍ୟାଳୟଠାରୁ ଆରମ୍ଭ କରି ବଡ ବିଦ୍ୟାଳୟର ଅଭିଭାବକ ସବୁ ସମୟରେ ଶୋଷଣର ଶିକାର ହୋଇ ଆସୁଛନ୍ତି l
ଓଡିଶା ଅଭିଭାବକ ମହାସଙ୍ଘ ଦୀର୍ଘ ଦିନ ହେଲା ଏହି ବେଆଇନ ଫି ଆଦାୟ ବିରୁଦ୍ଧରେ ଆନ୍ଦୋଳନ କରି ଆସୁଛି l ବହୁ ବିବାଦ ପରେ 2018 ମସିହାରେ ଏହି ଫି ଆଦାୟକୁ ସୁବ୍ୟବସ୍ଥିତ କରିବା ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଶେଷଜ୍ଞଙ୍କୁ ନେଇ ଏକ ଫି ନିର୍ଦ୍ଧାରଣ କମିଟି ଗଠନ କରାଯାଇ ସମସ୍ତ ଦିଗକୁ ବିଚାରକୁ ନେଇ ଏକ ସୁପାରିଶ ପତ୍ର ସରକାରଙ୍କୁ 2018 ମସିହାରେ ପ୍ରଦାନ କରାଯାଇଥିଲା l
ଏହି କମିଟିରେ ଓଡିଶା ଅଭିଭାବକ ମହାସଂଘ ମଧ୍ୟ ଏକ ସଦସ୍ୟ ଥିଲା l ହେଲେ ପ୍ରାୟ ଦୁଇ ବର୍ଷ ହେଲା ସରକାର ଏହି ରିପୋର୍ଟକୁ କାର୍ଯ୍ୟକାରୀ ନକରି ପକାଇ ରଖିଛନ୍ତି l ଏହାକୁ ନେଇ ଓଡିଶା ଅଭିଭାବକ ମହାସଂଘ ଦୁଇ ଥର ଆମରଣ ଅନଶନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ମାତ୍ର ଏହାକୁ ଲାଗୁ କରାଗଲା ନାହିଁ l ଯାହାର ସୁଯୋଗ ନେଇ ପ୍ରାଇଭେଟ ସ୍କୁଲମାନେ ମନଇଚ୍ଛା ଫି ନାମରେ ଲୁଟ କରୁଛନ୍ତି l ଏହି ଫି କମିଟି ରିପୋର୍ଟ ଲାଗୁ ହେଲେ ସବୁ ବେସରକାରୀ ବିଦ୍ୟାଳୟରେ ଫି ସମସ୍ୟାର ସମାଧାନ ହେବା ସହ ଅଭିଭାବକଙ୍କର ଶୋଷଣ ବନ୍ଦ ହୋଇଯିବ ବୋଲି ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ କହିଛନ୍ତି l ଏହି ନିୟମ ସାରା ଭାରତରେ ଲାଗୁ ହୋଇଛି । ଏହାକୁ ଓଡ଼ିଶାରେ କାର୍ଯ୍ୟକାରୀ କଲେ ପ୍ରାୟ ପନ୍ଦର ଲକ୍ଷ ଅଭିଭାବକ ଓ ପ୍ରାୟ 65 ଲକ୍ଷ ଲୋକ ଉପକୃତ ହେବେ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ