ଭୁବନେଶ୍ବର: ସରକାରୀ ବ୍ୟବସ୍ଥା ଓ କର୍ମଚାରୀଙ୍କୁ ଦୁର୍ନୀତିରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ସମ୍ପତ୍ତି ତାଲିକା ଦାଖଲ ନିୟମକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଚପରାସୀରୁ ଆରମ୍ଭ କରି ମୁଖ୍ୟ ସଚିବ ପର୍ଯ୍ୟନ୍ତ ସମସ୍ତେ ନିଜର ବାର୍ଷିକ ସମ୍ପରି ତାଲିକା ଦାଖଲ କରିବେ । କିନ୍ତୁ 4 ଥର ରିମାଇଣ୍ଡର ପରେ ମଧ୍ୟ ବହୁ କର୍ମଚାରୀ ନିଜ ସମ୍ପତ୍ତି ତାଲିକା ଦେବାକୁ କୁଣ୍ଠାବୋଧ କରୁଛନ୍ତି ।
ଆଉ କାମ ଦେଉନି କି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ? ବାଟବଣା ହୋଇଯାଇଛି କି ରାଜ୍ୟ ସରକାରଙ୍କ 5ଟି ଓ ମୋ ସରକାର ବ୍ୟବସ୍ଥା ? କାହା ବଳରେ ବଳିଆନ ହୋଇଛନ୍ତି ସରକାରୀ ଅଧିକାରୀ ? ଏପରି କିଛି ପ୍ରଶ୍ନ ସର୍ବସାଧାରଣଙ୍କ ମନରେ ଉଙ୍କି ମାରୁଛି । କାହିଁକି ନା ଦୁର୍ନୀତି ରୋକ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅଣଦେଖା କରିଚାଲିଛନ୍ତି ସରକାରୀ ଅଧିକାରୀ । ତାରିଖ ପରେ ତାରିଖ ଗଡି ଚାଲୁଛି, ହେଲେ ସମ୍ପତ୍ତି ତଥ୍ୟ ଦେଉନାହାନ୍ତି ସରକାରୀ ବାବୁ ଓ ବାବୁଆଣୀ । ଜୀବନରେ ପାରଦର୍ଶିତା ଓ ନୈତିକତା ବଜାୟ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇ ଆସୁଛନ୍ତି । ଏଥିରେ ଖିଲାପ କଲେ କଡା କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ରହିଛି ।
ଗତ କିଛି ବର୍ଷ ଭିତରେ 173 ଜଣ ଦୁର୍ନୀତିଗ୍ରସ୍ତ ଏବଂ ଅପାରଗ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ବର୍ଷକରେ ସମ୍ପତ୍ତି କେତେ ବଢ଼ିଛି ଅବା ଅଛି ତାହା ସରକାରଙ୍କୁ ଜଣାଇବା ଜରୁରୀ । ସବୁ ଥର ପରି ଏଥର ମଧ୍ୟ ଜାନୁଆରୀ 31 ସୁଦ୍ଧା ଏଚ୍ଆଇଏମ୍ଏସ୍ ପୋର୍ଟାଲ ଜରିଆରେ ନିଜର ସ୍ଥାବର ଅସ୍ଥାବର ସମ୍ପରି ତାଲିକା ଦାଖଲ ପାଇଁ କୁହାଯାଇଥିଲା । ମାର୍ଚ୍ଚ, ମେ, ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲେ ବି ଅଧିକାଂଶ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି । ପୂର୍ବରୁ ସରକାରୀ କର୍ମଚାରୀ ତିନି ବର୍ଷରେ ଥରେ ସମ୍ପରି ତାଲିକା ଦାଖଲ କରୁଥିଲେ । କିନ୍ତୁ 2014/15 ରୁ ପ୍ରତି ବର୍ଷ ତାଲିକା ଦେବା ନିୟମ ଲାଗୁ ହୋଇଛି । ଏନେଇ ସରକାରୀ ଦଳ ଓ ଶାସନ କଳକୁ ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ ଓ ବିରୋଧୀ ବିଜେପି । ପୂର୍ବତନ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, କେବଳ ଗଣମାଧ୍ୟମରେ ଖବର ବାହାର କରିବା ଲାଗି ଏପରି ନିର୍ଦ୍ଦେଶ ଦିଆଯାଏ । କାମ ପାଇଁ ନୁହେଁ । ରାଜ୍ୟରେ କାର୍ଯ୍ୟ ପ୍ରଣାଳୀ ବଦଳି ଗଲାଣି । ଗୋଟେ ସରକାର ଦୀର୍ଘ ଦିନ ରହିବା ପରେ ଏମିତି ହୁଏ । ଗଣତନ୍ତ୍ର ଲାଗି ଏହା ଶୁଭ ଲକ୍ଷଣ ନୁହେଁ ।
ସେପଟେ ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ କଟାକ୍ଷ କରିଛନ୍ତି । କହିଛନ୍ତି ଯେ, 1 ନମ୍ବର ମୁଖ୍ୟମନ୍ତ୍ରୀଙ୍କ କଥା ସରକାରୀ ଅଧିକାରୀମାନେ ଶୁଣୁନାହାନ୍ତି । ପିସି ବନ୍ଦ କରିବାକୁ କହିଥିଲେ । ଏବେ ପିସି ବ୍ୟାପି ଗଲାଣି । ସବୁ ସରକାରୀ କାର୍ଯ୍ୟାଳୟରେ ପିସି ପରମ୍ପରା ହୋଇଯାଇଛି । ଭିଜିଲାନ୍ସ ହାତରେ ଧରାପଡୁଥିବା ଅଧିକାରୀଙ୍କ ସମ୍ପତ୍ତି ଦରମାରୁ ଶହେ ଗୁଣ ବାହାରୁଛି । ଅମାପ ସମ୍ପତ୍ତି ଠୁଳ କରିଥିବାରୁ ଅଧିକାରୀମାନେ ତାଲିକା ଦେଉନାହାନ୍ତି । ଯେଉଁ ଅଧିକାରୀ ତାଲିକା ଦେଉନାହିଁ, ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଅପିଲ କଲେ ଏମାନେ ଶୁଣିବେ ନାହିଁ । ସେମାନଙ୍କ ଦରମା ବନ୍ଦ କରି ଆନ୍ତରିକତାର ସହ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର