ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସହ କିଛି ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମୌସୁମୀ ଟ୍ରଫ ଦକ୍ଷିଣ ଦିଗକୁ ଗତି କରୁଥିବାରୁ ଆସନ୍ତା ୨,୩ ଦିନ ଭିତରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା ୨୪ ଘଣ୍ଟା ଅର୍ଥାତ ୨୩ ତାରିଖ ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ସମ୍ବଲପୁର, ବୌଦ୍ଧ, ଦେବଗଡ଼, ମୟୂରଭଞ୍ଜ, ଅନୁଗୁଳ,ସୋନପୁର ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
7 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି ଭୁବନେଶ୍ୱର ଓ କଟକ ଜିଲ୍ଲାରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ଭିତରେ ଉତ୍ତର ଆଭ୍ୟନ୍ତରୀଣ, ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ସମ୍ବଲପୁର ବୁର୍ଲାରେ ସର୍ବାଧିକ ୬୨.୮ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ବରଗଡ଼ ଜିଲ୍ଲା ଅମ୍ବାଭୋନାରେ ୪୪.୨ ମିମି, ଝାରସୁଗୁଡା ଜିଲ୍ଲା କୋଲାବିରାରେ ୪୪.୧ମିମି, ଝାରସୁଗୁଡା କୁଚିଣ୍ଡାରେ ୪୩.୨ମିମି, ଲାଇକେରାରେ ୪୩.୧ମିମି, ଝାରସୁଗୁଡା କିର୍ମୀରାରେ ୩୯.୦ମିମି ବର୍ଷା ରେକର୍ଡ ହୋଇଛି । ପାରଳାଖେମୁଣ୍ଡିରେ ସର୍ବାଧିକ ୩୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
7 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି ତେବେ ଜୁନ ପହିଲାରୁ ଜୁଲାଇ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୠତୁକାଳୀନ ବର୍ଷା ୪୧୭.୪ ମିମି ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ଠାରୁ ୯ ପ୍ରତିଶତ କମ ବର୍ଷା । ଝାରସୁଗୁଡା ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ୨୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଓ ୯ ଉପକୂଳ ଜିଲ୍ଲାରେ କମ ବର୍ଷା ରେକର୍ଡ ହୋଇଛି । ପୁରୀ, ଖୋର୍ଦ୍ଧା, କଟକ,କେନ୍ଦ୍ରାପଡା, ଯାଜପୁର,ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକରେ କମ ବର୍ଷା ହୋଇଛି । ସୋନପୁରରେ ମଧ୍ୟ କମ ବର୍ଷା ହୋଇଛି । ପୁରୀରେ ୧୭୭.୯ ମିମି ବର୍ଷା ଅର୍ଥାତ ୫୦ ପ୍ରତିଶତ ବର୍ଷା ରେକର୍ଡ ହୋଇଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ବର୍ଷା ହୋଇଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ