ଭୁବନେଶ୍ବର: ରାଜ୍ୟରେ ବଢ଼ିଚାଲିଛି ସଡ଼କ ଦୁର୍ଘଟଣା । ତା ସହିତ ତାଳ ଦେଇ ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା । ଅନେକ ନିଜର ଆତ୍ମୀୟଙ୍କୁ ହରାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅପଣାଇବାକୁ ଯାଉଛନ୍ତି ତାମିଲନାଡୁ ମଡେଲ । ଦୁର୍ଘଟଣା କମେଇବା ପାଇଁ ରାଜ୍ୟ ସରକାର କୌଣସି ପ୍ରକାର ମଡେଲ ଅପଣାଇବାକୁ ପଛଘୁଞ୍ଚା ଦେବେନାହିଁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।
ରାଜ୍ୟରେ ଦୁର୍ଘଟଣା ରୋକିବା ଦିଗରେ ତାମିଲନାଡୁ ମଡେଲ ଆପଣେଇବା ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଚିଠି ଲେଖିଥିଲେ । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ପରିବହନ ମନ୍ତ୍ରୀ କହିଛନ୍ତି ଯେ, ତାମିଲନାଡୁ ମଡେଲ ଦେଶର ବେଷ୍ଟ ମଡେଲ । ଦୁର୍ଘଟଣା କମେଇବା ପାଇଁ ରାଜ୍ୟ ତତ୍ପରତା ପ୍ରକାଶ କରିଛନ୍ତି ।
ସେ ଆହୁରି କହିଛନ୍ତି ଆଗକୁ ମଧ୍ୟ ଏ ନେଇ ପଦକ୍ଷେପ ନିଆଯିବ । ସେଥିପାଇଁ ଯେଉଁ ମଡେଲ ଆବଶ୍ୟକ ରାଜ୍ୟ ଗ୍ରହଣ କରିବ । ଦୁର୍ଘଟଣା ପରେ କିପରି ଲୋକଙ୍କୁ ତତକ୍ଷଣାତ ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ପ୍ରୟାସ କରାଯାଉଛି । ଦୁର୍ଘଟଣା ହାର ହ୍ରାସ ପାଇଁ ସଡକ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିିଭି ଭାରତ