ଭୁବନେଶ୍ବର: ରାଜ୍ୟର ସମସ୍ତ ଜିଲ୍ଲାରେ ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ଦିଗରେ ନ୍ୟସ୍ତ ହୋଇଥିବା ଟାସ୍କ ଫୋର୍ସ ଗୁଡିକ କ୍ରମାଗତ ଭାବରେ କାର୍ଯ୍ୟ କରୁଛନ୍ତି। ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସଠିକ୍ ଫଳାଫଳ ହାସଲ କରିବାରେ ସମର୍ଥ କରିବା ପାଇଁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓ.ସେ, ପା) ତରଫରୁ ଏକ ତିନି ଦିନିଆ ଆବାସିକ ଜିଲ୍ଲା ସାଧନ ଗୋଷ୍ଠୀ ତାଲିମ କାର୍ଯ୍ୟକ୍ରମ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍, ଭୁବନେଶ୍ୱରଠାରେ ଆୟୋଜନ କରାଯାଇଛି ।
ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓ. ସେ.ପା, ଅନୁପମ ସାହା ଏବଂ ସନତ କୁମାର ମହାନ୍ତି, ନିର୍ଦ୍ଦେଶକ, ରାଜ୍ୟ ଶିକ୍ଷକ ଶିକ୍ଷା ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଉକ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ପିରାମଲ ଫାଉଣ୍ଡେସନର ମିଳିତ ସହଯୋଗରେ ନେତୃତ୍ଵ ଦକ୍ଷତା, ଏକବିଂଶ ଶତାବ୍ଦୀର ଦକ୍ଷତା, ପାଠ୍ୟକ୍ରମ ଓ ଏକ୍ସପୋଜର ପରିଦର୍ଶନ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମକୁ ସୁଗମ କରିବା ନିମନ୍ତେ ତାଲିମ ସାମଗ୍ରୀ ପ୍ରସ୍ତୁତ କରାଯାଇଛି ।
ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଯେ, ୫-‘ଟି’ ଅନ୍ତର୍ଗତ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏବଂ ପ୍ରଧାନଶିକ୍ଷକମାନଙ୍କ ମଧ୍ୟରେ ନେତୃତ୍ଵର ବିକାଶ କରିବା। ଏହି କର୍ମଶାଳାରେ ସ୍ମାର୍ଟ ବୋର୍ଡ, ପ୍ରୋଜେକ୍ଟର, ମାଇକ୍ରୋସଫ୍ଟ ଅଫିସ ଇତ୍ୟାଦି ବ୍ୟବହାର ପରି ଡିଜିଟାଲ ଦକ୍ଷତା ବିକାଶ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି।
ଏହି ତିନି ଦିନର କାର୍ଯ୍ୟସୂଚୀ ହେଉଛି ଆତ୍ମ ସଚେତନତା, ପ୍ରଶିକ୍ଷଣ ଏବଂ ପରାମର୍ଶ, ଦଳ ନିର୍ମାଣ, ଛାତ୍ରମାନଙ୍କ ପାଇଁ ଏକବିଂଶ ଶତାବ୍ଦୀର ଦକ୍ଷତା, ଜାତୀୟ ଶିକ୍ଷା ନୀତି ୨୦୨୦, ଇ-ବିଷୟବସ୍ତୁ ବିକାଶ ଏବଂ ଏକ୍ସପୋଜର ପରିଦର୍ଶନର ଗୁରୁତ୍ବ ଉପରେ ତାଲିମକୁ ସୁଗମ କରିବା । ଏତଦ୍ ବ୍ୟତୀତ ଆଗାମୀ ସପ୍ତାହରେ ସମଗ୍ର ଶିକ୍ଷା ଯୋଜନାରେ କାର୍ଯ୍ୟ କରୁଥିବା ସମସ୍ତ ଜିଲ୍ଲାର ପରିଚାଳନା ତଥା ଯୋଜନା ସଂଯୋଜକମାନଙ୍କ ପାଇଁ ଡିଜିଟାଲ ଦକ୍ଷତା ଉପରେ ଏକ ୩ ଦିନିଆ ତାଲିମ କାର୍ଯ୍ୟକ୍ରମ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ