ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ଓଡିଶା କ୍ଷଦ୍ରଶିଳ୍ପ ନିଗମର ୧ କୋଟି ୪୦ ଲକ୍ଷ ଟଙ୍କା ଲାଭାଂଶ ପ୍ରଦାନ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ପରିମାଣର ଚେକ ଓଡିଶା କ୍ଷଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ଚେକ୍ ଗ୍ରହଣ କରିଛନ୍ତି ।
କୋଭିଡ ମହାମାରୀ ସତ୍ତ୍ବେ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଗତ ଦୁଇ ବର୍ଷ ଧରି ଏହାର ବାର୍ଷିକ ବ୍ୟବସାୟ ଏବଂ ଲାଭାଂଶରେ ଅଭିବୃଦ୍ଧି କରିପାରିଛି । ୨୦୨୧ - ୨୨ ଆର୍ଥିକ ବର୍ଷରେ ନିଗମର ବ୍ୟବସାୟ ପରିମାଣ ପ୍ରାୟ ୭୧୬.୨୨ କୋଟି ଟଙ୍କା ହୋଇଥିବା ବେଳେ ଲାଭ ୮. ୮୩ କୋଟି ଟଙ୍କାରେ ପହଁଚିଛି । ୨୦୧୯ - ୨୦ ଆର୍ଥିକ ବର୍ଷ ତୁଳନାରେ ବ୍ୟବସାୟର ଅଭିବୃଦ୍ଧି ପ୍ରାୟ ୪୦ ପ୍ରତିଶତ ହୋଇପାରିଛି । ନିଗମ ପକ୍ଷରୁ ୧.୪୦ କୋଟି ଟଙ୍କାର ଲାଭାଂଶ ରାଜ୍ୟ ସରକାରଙ୍କୁ ଡିଭିଡେଣ୍ଡ ( Dividend ) ବାବଦରେ ପ୍ରଦାନ କରାଯାଇଛି ।
ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ଓ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ସାବ୍ଦିକ ଆଲାମ ଉପସ୍ଥିତ ଥିଲେ ।
ଗତ ଦୁଇ ବର୍ଷ ଧରି କୋଭିଡ ମହାମାରୀ ରାଜ୍ୟ ତଥା ଦେଶର ଜନଜୀବନକୁ ଘୋର ପ୍ରଭାବିତ କରିଛି । କୋଭିଡ ପ୍ରଭାବରେ ଅର୍ଥନୀତି ଗଭୀର ଭାବେ ସଙ୍କୁଚିତ ହେବା ସତ୍ତ୍ବେ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଗତ ଦୁଇ ବର୍ଷ ଧରି ଏହାର ବାର୍ଷିକ ବ୍ୟବସାୟ ଏବଂ ଲାଭାଂଶରେ ଅଭିବୃଦ୍ଧି କରିପାରିଛି । ନିଗମ ଗତ ଦୁଇଟି ଆର୍ଥିକ ବର୍ଷରେ ମୁଖ୍ୟ ବ୍ୟବସାୟ Raw material banking କରିବା ଛଡା ବ୍ୟବସାୟର ମୌଳିକ ପରିବର୍ତ୍ତନ କରାଯାଇ ମାର୍କେଟିଂ ସପୋର୍ଟ ପ୍ରଦାନ କରି ବ୍ୟବସାୟର ଅଭିବୃଦ୍ଧି କରାଯାଇଛି । ସରକାରଙ୍କ 5T ବିଭାଗର ପ୍ରତ୍ୟକ୍ଷ ତତ୍ବାବଧାନରେ ରାଜ୍ୟ ସରକାରଙ୍କ ବିଭିନ୍ନ ଫ୍ଲାଗସିପ ପ୍ରୋଜେକ୍ଟ ବିଦ୍ୟାଳୟ ଗୁଡିକର Transformation, ଗ୍ରାମ୍ୟ ବିଦ୍ୟୁତ ସଂଯୋଗୀକରଣ ତଥା ଉଚ୍ଚ ଶିକ୍ଷା କ୍ଷେତ୍ରରେ ହେଉଥିବା Infrastructural Development କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟ ହାତକୁ ନେଇ ବ୍ୟବସାୟର କଳେବର ବୃଦ୍ଧି କରିପାରିଛି ।
ଏହାକୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଲଘୁ ତଥା ମଧ୍ୟମ ଉଦ୍ୟୋଗ ମାନଙ୍କ କନ୍ସୋର୍ଟିଅମ୍ ଜରିଆରେ ରୂପାୟନ କରାଯାଇ ପାରିଛି । ଆଗାମୀ ବର୍ଷମାନଙ୍କରେ ନିଗମର ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯାଇ ଅଧିକରୁ ଅଧିକ ଲଘୁ ତଥା ମଧ୍ୟମ ଉଦ୍ୟୋଗଗୁଡିକର ପ୍ରଡକ୍ଟ ତଥା ସର୍ଭିସେସ ପାଇଁ ବଜାର ସୃଷ୍ଟି କରିବାକୁ ବ୍ୟାପକ କ୍ଷେତ୍ର ସୃଷ୍ଟି କରିବାକୁ ପ୍ରୟାସ କରାଯିବ । ନିଗମର କନ୍ସୋର୍ଟିଅମ ମାର୍କେଟିଂ ଦ୍ବାରା ଗତ ଆର୍ଥିକ ବର୍ଷର ବ୍ୟବସାୟ ପ୍ରାୟ ୨୬୦ କୋଟି ଟଙ୍କାରୁ ଆଗାମୀ ଆର୍ଥିକ ବର୍ଷକୁ ୫୦୦ କୋଟି ଟଙ୍କାର ପହଁଚାଇବାକୁ ଲକ୍ଷ୍ୟ ରଖାଯାଇଛି । କ୍ଷୁଦ୍ର ତଥା ମଧ୍ୟମ ଉଦ୍ୟୋଗ ଗୁଡିକର ବଜାର ସୃଷ୍ଟି ପାଇଁ ବ୍ୟାପକ କ୍ଷେତ୍ର ପ୍ରସ୍ତୁତ କରିବାକୁ ପ୍ରୟାସ କରାଯିବା ସହ ଆଗାମୀ ୨ ବର୍ଷ ମଧ୍ୟରେ ନିଗମର ବ୍ୟବସାୟ ୧୦୦୦ କୋଟି ଟଙ୍କା ଏବଂ ୧୦୦୦ ଲଘୁ ଓ ମଧ୍ୟମ ଉଦ୍ୟୋଗ ଏବଂ ୧୦୦୦ ସ୍କାର୍ଟ ଅପ ମାନଙ୍କର ବଜାର ସୃଷ୍ଟି କରିବା ପାଇଁ ହ୍ୟାଣ୍ଡ ହୋଲଡିଂ ସପୋର୍ଟ ଦେବାକୁ ଲକ୍ଷ୍ୟ ରଖାଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ