ଭୁବନେଶ୍ବର: ତ୍ବରାନ୍ନିତ ହେବ ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ । ରାଜ୍ୟରେ ଚାଲୁ ରହିଥିବା ଜାତୀୟ ରାଜପଥର ସମ୍ପ୍ରସାରଣ କ୍ଷେତ୍ରରେ ଜମି ଅଧିଗ୍ରହଣ ଦିଗରେ ରହିଥିବା ଅସୁବିଧା ଦୂର ହେବ । ନିର୍ଦ୍ଧାରିତ ସମୟରେ ଏହି ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହେବ । ଏ ନେଇ ଆଜି ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବସିଥିଲା ସମୀକ୍ଷା ବୈଠକ ।
ବୈଠକରେ ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, କ୍ଷମତାସଂପନ୍ନ ଜମି ଅଧିଗ୍ରହଣ ଅଧିକାରୀ, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧିକାରୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବର୍ଷାଦିନ ଆରମ୍ଭ ହେବା ପୂର୍ବରୁ ସମସ୍ତ ରାସ୍ତା କାର୍ଯ୍ୟ ସାରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଗମନାଗମନ କ୍ଷେତ୍ରରେ ଭିତ୍ତିଭୂମିର ଉନ୍ନତି ତଥା ବିକାଶ ଦ୍ବାରା ପ୍ରଗତି ସମ୍ଭବ ।
ଏହା ଦ୍ବାରା ଦେଶର ତଥା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ସହାୟକ ହୋଇଥାଏ । ତେବେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ଜମି ଅଧିଗ୍ରହଣରେ ସମସ୍ୟା ରହିଛି । କ୍ଷତିପୂରଣ ପ୍ରଦାନ ତଥା ଉପୁଜୁଥିବା ସମସ୍ୟାର ସମାଧାନ କରିବା ଦିଗରେ ନିର୍ଦ୍ଦେଶ ଦିଆଯାଇଛି । ଅତିରିକ୍ତ ଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରକ୍ଷା କରି ରାସ୍ତା କାର୍ଯ୍ୟ ଅଗ୍ରଗତି ଦିଗରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହାମଧ୍ୟ ପଢନ୍ତୁ: Health Experts On Covid: ଶ୍ଵାସ ରୋଗୀଙ୍କୁ ଫେସସିଲ୍ଡ ପିନ୍ଧିବାକୁ ପରାମର୍ଶ
ଏହି ସମୀକ୍ଷା ବୈଠକରେ କୋରାପୁଟ, ନବରଙ୍ଗପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ଦେଓଗଡ, ଖୋର୍ଦ୍ଧା, ବାଲେଶ୍ବର, ସମ୍ବଲପୁର, ନୟାଗଡ଼ ଆଦି ଜିଲ୍ଲାର ପ୍ରାୟ ୭୦ରୁ ଅଧିକ କ୍ଷମତାସମ୍ପନ୍ନ ଜମି ଅଧିଗ୍ରହଣ ଅଧିକାରୀଙ୍କ ସହ ଏହି ସମୀକ୍ଷା ବୈଠକରେ ଆଲୋଚନା ହେଇଛି । ଯଥା ଶୀଘ୍ର ଜମି ହରାଉଥିବା ବ୍ୟକ୍ତିମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ।
ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନାମରେ ଅଧିଗ୍ରହଣ ହୋଇଥିବା ଜମିକୁ ରେକର୍ଡଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମଙ୍ଗୁଳିରୁ ଅନୁଗୁଳ ପର୍ଯ୍ୟନ୍ତ ଜାତୀୟ ରାଜପଥର ଅବସ୍ଥା ଖୁବ କଦର୍ଯ୍ୟ ହୋଇପଡିଛି । ଗମନାଗମନ ଦିଗରେ ବିଭିନ୍ନ ଅସୁବିଧା ସୃଷ୍ଟି ହେଉଛି । ଏ କ୍ଷେତ୍ରରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାସ୍ତା କାର୍ଯ୍ୟ ଶେଷ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ମାସରେ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟର ନିୟମିତ ସମୀକ୍ଷା କରାଯିବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ