ଭୁବନେଶ୍ବର: ରାଜ୍ୟରେ କମୁଛି ସଂକ୍ରମଣ କମୁନି ମୃତ୍ୟୁସଂଖ୍ୟା । ଉପରମୁହାଁ ରହିଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ଲଗାତାର ବଢିଚାଲିଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତକାଲି ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି( ମଙ୍ଗଳବାର) ରାଜ୍ୟରେ ଆଉ ୨୧ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୃତ୍ୟୁ ରିପୋର୍ଟକୁ ଆଧାର କରି ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮୭୭୫କୁ ବୃଦ୍ଧି ହୋଇଛି ।
ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଯାଜପୁର ଓ ମୟୂରଭଞ୍ଜରୁ ୩ ଜଣ ଥିବାବେଳେ ବାଲେଶ୍ବର, କଟକ ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ସେହପରି ଖୋର୍ଦ୍ଧା, ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ, ଗଜପତି, ଗଞ୍ଜାମ, କେନ୍ଦ୍ରାପଡା, କେନ୍ଦୁଝର, ନୟାଗଡ ଓ ନୂଆପଡାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ତାଲିକାରେ ଶୀର୍ଷରେ ଖୋର୍ଦ୍ଧା ଜିଲ୍ଲା ରହିଛି । ଜିଲ୍ଲାରେ ମୋଟ ୧୬୭୮ ଜଣଙ୍କ ଜୀବନ ନେଲାଣି ମହାମାରୀ ।
ପ୍ରକାଶ ଥାଉ କି, ରାଜ୍ୟରେ ୨୪ ଘଣ୍ଟାରେ ୧ ହଜାର ୫୦୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ୧୨ ଲକ୍ଷ ୬୯ ହଜାର ୮୧୧ ରେ ପହଞ୍ଚିଥିବା ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କିଛି ଦିନ ହେବେ ବାହାରୁଥିବା ପଜିଟିଭ ସଂଖ୍ୟା କମିଛି ହେଲେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ