ଭୁବନେଶ୍ବର: ପ୍ରଚଣ୍ଡ ଖରାକୁ ଆଖି ଆଗରେ ରଖି ଦୀର୍ଘ ୫ ଦିନ ହେଲା ବନ୍ଦ ରହିଥିବା ସ୍କୁଲ ଆଜିଠୁ ପୁଣି ଖୋଲିଛି । ଆଜି ସକାଳ ୬ ଟାରୁ ୯ ଟା ଯାଏଁ ଚାଲିବ ସ୍କୁଲ । ପିଲାମାନେ ସକାଳ ୬ଟାରେ ସ୍କୁଲରେ ପହଞ୍ଚିଛନ୍ତି । ଏଥର ଜୁନ ୬ରୁ ୧୬ ତାରିଖ ଯାଏ ଖରାଛୁଟି ହେବ ବୋଲି ଆଗରୁ ଘୋଷଣା କରିଥିଲେ ରାଜ୍ୟ ସରକାର ।
ଆଗାମୀ ଦିନରେ ଲଘୁଚାପ ରହିଥିବାରୁ ତାତି କମିବାର ସମ୍ଭାବନା ରହିଛି । ଫଳରେ ପିଲାଙ୍କ ପାଇଁ ଗ୍ରୀଷ୍ମ ପ୍ରବାହର ବିପଦ ରହିବ ନାହିଁ । ସେଥିପାଇଁ ଆଜିଠୁ ରାଜ୍ୟରେ ସ୍କୁଲ ଖୋଲିଛି । ଜୁନ ୬ ତାରିଖ ପର୍ଯ୍ୟନ୍ତ ପିଲାଙ୍କ ଦୁଇ ବର୍ଷର ପାଠପଢ଼ା କ୍ଷତି ଭରଣା କରାଯିବ । କୋରୋନା କାଳରେ ଛାତ୍ରଛାତ୍ରୀ ମାନେ ଦୁଇ ବର୍ଷ ଧରି ପାଠ ପଢିନାହାନ୍ତି । ସେଥିପାଇଁ ଚଳିତବର୍ଷ ପାଠପଢା ଅଧିକ ପ୍ରଭାବିତ ନହେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମଇ ମାସରେ ତାପମାତ୍ରା ୩୫ ଡିଗ୍ରୀ ଟପିବନି । ତେଣୁ ପୁଣି ଥରେ ସ୍କୁଲ ଖୋଲି ପାଠପଢ଼ା ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ