ଭୁବନେଶ୍ବର: ବଜେଟ କାଉଣ୍ଟ ଡାଉନ ଆରମ୍ଭ ହୋଇସାରିଛି । ଆଉ କିଛି ଘଣ୍ଟା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି(ମଙ୍ଗଳବାର) ସଂସଦରେ ୨୦୨୨-୨୩ ବର୍ଷ ଲାଗି ବଜେଟ ଉପସ୍ଥାପନ କରିବେ । ଉପସ୍ଥାପିତ ହେବାକୁ ଥିବା ବଜେଟ କେତେ ଜନାଭିମୁଖୀ ହେବ ତାହା ଉପରେ ସମସ୍ତଙ୍କ ନଜର । ଆଜି ସାଧାରଣ ବଜେଟ ସହ ସଂସଦରେ ଉପସ୍ଥାପନ ହେବ ରେଳ ବଜେଟ। ପ୍ରତିବର୍ଷ ରେଳ ବଜେଟ ଆଗତ ହେବା ପୂର୍ବରୁ ଓଡ଼ିଶା ସରକାର ରାଜ୍ୟ ପାଇଁ ରେଳ ବିକାଶ ବାବଦରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ମଞ୍ଜୁର କରିବାକୁ ରେଳମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତାବ ରଖି ଆସୁଛନ୍ତି।
ତଦନୁସାରେ ରେଳ ମନ୍ତ୍ରଣାଳୟ ବଜେଟକୁ ଦେଖି ଓଡ଼ିଶା ପାଇଁ ଅର୍ଥ ମଞ୍ଜୁର କରନ୍ତି। ଏଥର ଓଡ଼ିଶାକୁ ରେଳ ବଜେଟରେ କେତେ ମିଳିବ ସେ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ଏଥର ରେଳମନ୍ତ୍ରୀ ଦାୟିତ୍ବରେ ଅଛନ୍ତି ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସାଂସଦ ଅଶ୍ବିନୀ ବୈଷ୍ଣବ। ତେବେ ତାଙ୍କ ଉପରେ ଅନେକ ଆଶା ରହିଛି ।
ଦୀର୍ଘ ବର୍ଷ ଧରି ରେଳ ଯୋଗାଯୋଗ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପଛରେ ପଡିଥିବା ଓଡ଼ିଶା ପାଇଁ ଏଥର ଅଶ୍ବିନୀ କି ପ୍ରକାର ଆଶ୍ବାସନା ଦେଉଛନ୍ତି ତାକୁ ନେଇ ଅନେକ ଆଶାବାଦୀ ଅଛନ୍ତି। ରେଳବାଇକୁ ଓଡ଼ିଶାରୁ ବାର୍ଷିକ 20ହଜାର କୋଟି ଟଙ୍କାର ରାଜସ୍ବ ମିଳୁଛି କିନ୍ତୁ ଓଡ଼ିଶାରେ ରେଳ ଲାଇନ ଯାଇଥିବା ଅଞ୍ଚଳ 3000 କିମିରେ ସୀମିତ। ପୂର୍ବତଟ ରେଳବାଇ କ୍ଷେତ୍ରରୁ ରାଜସ୍ବ ବାବଦରେ ପ୍ରମୁଖ ଅଂଶ ରେଳବାଇ ପାଉଛି ଯାହା କୋଇଲା, ଲୁହାପଥର ବିଭିନ୍ନ ଖଣିଜ ସାମଗ୍ରୀ ପରିବହନରୁ ମିଳୁଛି ସ୍ବାଧୀନତା ପରବର୍ତ୍ତୀ କାଳରେ ଓଡ଼ିଶାରେ ରେଳ ବିକାଶ ପ୍ରତି ଆବଶ୍ୟକ ଧ୍ୟାନ ଦିଆଯାଇନାହିଁ।
ସ୍ବାଧୀନତାର ଦୀର୍ଘ ୭୫ବର୍ଷ ଭିତରେ ଓଡ଼ିଶାରେ ମାତ୍ର 5ଟି ବ୍ରଡଗଜ ରେଳ ସଂଯୋଗ କଟକରୁ ପାରାଦ୍ବୀପ 83କିମି, ତାଳଚେର ସମ୍ବଲପୁର 174କି.ମି କୋରାପୁଟ-ରାୟଗଡା 164କି.ମି. ଦୈତାରୀ ବାଂଶପାଣି 155କି.ମି, ଲାଞ୍ଜିଗଡ-ଜୁନାଗଡ 56କି.ମି କାର୍ଯ୍ୟକ୍ଷମ ହୋଇଛି।
1994-95ରୁ ମଞ୍ଜୁର ହୋଇଥିବା ଖୋର୍ଦ୍ଧା-ବଲାଙ୍ଗୀର, 2003-04ରୁ ତାଳଚେର-ବିମଳାଗଡ, 1999-2000ରୁ ଦୋହରୀକରଣ ପାଇଁ ପଡିରହିଥିବା ରାଜାଆଠଗଡ-ବାରଙ୍ଗ, 2003-04 ରୁ ବାରଙ୍ଗ-ଖୋର୍ଦ୍ଧା ତୃତୀୟ ଲାଇନ, 2006-07 ସମ୍ବଲପୁର-ଟିଟିଲାଗଡ ଦୋହରୀକରଣ। ପାଣ୍ଠି ଅଭାବରୁ ଏସମସ୍ତ କାର୍ଯ୍ୟ କଚ୍ଛପଗତିରେ ଚାଲିଛି। ଏହାଦ୍ବାରା ଓଡ଼ିଶାର ସାମାଜିକ-ଅର୍ଥନୈତିକ ବିକାଶ ଧାରା ଧିମେଇଛି। କେବଳ ଏତିକି ନୁହେଁ, ଏପର୍ଯ୍ୟନ୍ତ କନ୍ଧମାଳ, ବୌଦ୍ଧ, ମୟୂରଭଞ୍ଜ, କେନ୍ଦ୍ରାପଡା, ଦେବଗଡ, ମାଲକାନଗିରି ଆଦି 6ଜିଲ୍ଲାକୁ ରେଳ ସଂଯୋଗ ନାହିଁ। ରାଜ୍ୟରେ ଶାସକ ଦଳ ସମେତ ବିଭିନ୍ନ ଫୋରମ ପକ୍ଷରୁ ଓଡ଼ିଶାକୁ କେନ୍ଦ୍ରର ରେଳବାଇ କ୍ଷେତ୍ରରେ ଅବହେଳା ନେଇ ଅଭିଯୋଗ ହୋଇଆସୁଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ