ଭୁବନେଶ୍ବର: ରାଜ୍ୟରେ ଠିକା ନିଯୁକ୍ତି ଯୁଗ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକା ନିଯୁକ୍ତ ଉଚ୍ଛେଦ କରିଛନ୍ତି(Odisha government to abolish contractual hiring) । ଏହି ନିଷ୍ପତ୍ତିକୁ ସ୍ବାଗତ କରୁଛନ୍ତି କର୍ମଚାରୀ ଓ ସାଧାରଣ ଜନତା । ସେପଟେ ଟ୍ବିଟରେ ଟ୍ରେଣ୍ଡ କରୁଛି #OdishaEndContractRecruitment । ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତିକୁ ପ୍ରଶଂସା କରୁଛନ୍ତି ଟ୍ବିଟର ବ୍ୟବହାରକାରୀ । ଶନିବାର କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ନେଇ ନିଷ୍ପତ୍ତି ନେଇଛନ୍ତି । ଏ ସଂକ୍ରାନ୍ତରେ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସହ ପରିସମାପ୍ତି ଘଟିଛି 2013ର ଏହି ଠିକା ନିଯୁକ୍ତି ନିଷ୍ପତ୍ତି । ପ୍ରାୟ 57 ହଜାର କର୍ମଚାରୀ ଏଥିରେ ଉପକୃତ ହେବେ । ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ପ୍ରାୟ 1300 କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ କର୍ମଚାରୀଙ୍କ ମହଲରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । କିଏ କହୁଛି ଜନ୍ମଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପହାର ଦେଇଛନ୍ତି । ଆଉ କିଏ କହୁଛନ୍ତି, କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପର ପର୍ବ ଦୀପାବଳିର ଭେଟି । ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ସତମୁଖ ହୋଇଛନ୍ତି ନେତା, କର୍ମୀ ଓ ଜନତା ।

ଏହାମଧ୍ୟ ପଢନ୍ତୁ: ଉଠିଲା ଚୁକ୍ତିଭିତ୍ତିକ ଚାକିରି ପ୍ରକ୍ରିୟା, ସେଲିବ୍ରେସନ କଲେ ଠିକା କର୍ମଚାରୀ

ନେତା ଓ କର୍ମୀ ନିଷ୍ପତ୍ତିକୁ 'ଐତିହାସିକ' କହୁଥିବାବେଳେ ଟ୍ବିଟର ବ୍ୟବହାରକାରୀ ଆଉ ଟିକେ ଆଗେଇ ଯାଇ କହୁଛନ୍ତି 'ହେ ନବୀନ ବାବୁ ଆମେ ତୁମ ଫ୍ୟାନ' । ନିଷ୍ପତ୍ତି ଘୋଷଣା ପର ଠାରୁ ଟ୍ରେଣ୍ଡ କରୁଛି '#OdishaEndContractRecruitment' । ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉତ୍ତମ ଆର୍ଥିକ ପରିଚାଳନା ଓ ସୁଶାସନ ଜରିଆରେ ପରିସ୍ଥିତିରେ ଉନ୍ନତି ଆସିଛି । ୨୦୧୩ରୁ ଆରମ୍ଭ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବ୍ୟସ୍ଥା ସବୁଦିନ ପାଇଁ ଉଚ୍ଛେଦ ହୋଇଛି । ସବୁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବ । ଓଡିଶା ଆତ୍ମବିଶ୍ବାସର ସହ ଆଗକୁ ବଢୁଛି । ସଶକ୍ତ ହେଉଛି । ଓଡିଶା ଇତିହାସର ଏହା ଏକ ସୁବର୍ଣ୍ଣ ମୂହୁର୍ତ୍ତ ।


ଇଟିଭି ଭାରତ, ଭୁବନେଶ୍ବର