ଭୁବନେଶ୍ବର: 1999 ମସିହା ମହାବାତ୍ୟାକୁ ପୁରିଛି 20 ବର୍ଷ । ଏନେଇ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଇଁ ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ନେତା ଓ ମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ଉପରେ ଆଲୋକପାତ କରିଥିଲେ ।
ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ବେଞ୍ଚ ମାର୍କ ସୃଷ୍ଟି କରିସାରିଛି । ଯେଉଁଥିପାଇଁ ଏ ଦିଗରେ ଏକ ଉଦାହରଣ ପାଲଟିଛି ଓଡିଶା । ମଙ୍ଗଳବାର ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ରାଜ୍ୟରେ 3 ଲକ୍ଷ ବାତ୍ୟା ନିରୋଧି ପକ୍କା ଘର ନିର୍ମାଣ କରାଯିବା ନେଇ ଘୋଷଣା କରାଯାଇଛି ।
ପ୍ରାଥମିକ ପର୍ଯ୍ୟାୟରେ ପୁରୀ ଓ ଖୋର୍ଦ୍ଧାରେ ଏହି ଘର ନିର୍ମାଣ କରାଯିବ । ଲୋକଙ୍କ ସହଯୋଗ ଓ ସଚେତନତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ବ ଦିଆଯିବା ନେଇ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ