ଭୁବନେଶ୍ବର: ନୂଆବର୍ଷରେ ମନ୍ତ୍ରୀମଣ୍ଡଳ ସାଙ୍ଗକୁ ପ୍ରଶାସନିକ ସ୍ତରରେ ହେବ ବ୍ୟାପକ ପରିବର୍ତ୍ତନ । ନବୀନଙ୍କ ପଞ୍ଚମ ପାଳିରେ ପ୍ରଥମ ଥର ପାଇଁ ସମ୍ପ୍ରସାରଣ ହେବ ମନ୍ତ୍ରୀମଣ୍ଡଳ । ନିଯୁକ୍ତ ହେବେ ନୂଆ ମୁଖ୍ୟ ଶାସନ ସଚିବ । କିଏ ବାଦ ପଡିବେ ଆଉ କିଏ ଏଣ୍ଟ୍ରି ମାରିବେ ? ଏନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା ।
ଅନେକ ମନ୍ତ୍ରୀଙ୍କ ପାଇଁ ବଦନାମ ହେଲେଣି ସରକାର । ଅନେକଙ୍କର ପରଫମାନ୍ସ ମଧ୍ୟ ଭଲ ନାହିଁ । ଅନ୍ୟପଟେ ଆଉ କିଛି ଆନୁଗତ୍ୟଙ୍କୁ ଦଳ ମନ୍ତ୍ରୀପଦ ଦେଇ ସନ୍ତୁଷ୍ଟ କରିବାକୁ ଚାହିଁବ । ଏଭଳି ସମୟରେ ମନ୍ତ୍ରୀଙ୍କ ଛାତିରେ ପଶିଛି ଛନକା । ତେବେ ବାଦ ତାଲିକାରେ ସବୁଠୁ ଆଗରେ ରହିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ବର୍ଷ ଶେଷ ଭାଗକୁ ‘ପରୀ’ ବିବାଦ ପାଇଁ ସରକାରର ଇମେଜ୍ ଡ୍ୟାମେଜ୍ ହୋଇଛି । ବିରୋଧୀ ଦୀର୍ଘ ଦିନ ଧରି ଜିଦରେ ଅଟଳ । ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି କାହିଁ କେତେ ବିକ୍ଷୋଭ, ପ୍ରଦର୍ଶନ । ଯାହାକୁ ନେଇ ମୁଖିଆ ଅସନ୍ତୋଷ ଜାହିର କରିଛନ୍ତି । ତେଣୁ ନବୀନଙ୍କ ଟିମରୁ ସେ ହଟିବା ଏକପ୍ରକାର ନିଶ୍ଚିତ । ସେହିଭଳି କୋଭିଡ ପରିଚାଳନରେ ତୃଟି ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ବି ଖଣ୍ଡା ଝୁଲୁଛି । ଅନ୍ୟଜଣେ ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ରତ୍ନ ପଥର ରାକେଟ ପ୍ରସଙ୍ଗରେ ବିବାଦରେ ଥିବାରୁ ତାଙ୍କୁ ବି ବାଦ ଦେଇପାରନ୍ତି ମୁଖିଆ ।
ଏମାନଙ୍କ ବ୍ୟତୀତ ପଦ୍ମିନୀ ଦିଆନ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ଜ୍ୟୋତି ପାଣିଗ୍ରାହୀ, ତୁଷାରକାନ୍ତି ବେହେରା ମଧ୍ୟ ବାଦ ପଡିବା ଲିଷ୍ଟରେ ରହିଛନ୍ତି । ତେବେ ସବୁ କିଛି ହାଇକମାଣ୍ଡଙ୍କ ଉପରେ ନିର୍ଭର କରୁଛି । ଏହାରି ଭିତରେ ମୁଖିଆଙ୍କ ନଜରକୁ ଆସିବା ପାଇଁ କିଛି ମନ୍ତ୍ରୀ ସକ୍ରିୟ ହୋଇ ବିଭାଗ କାମ ସହ ନିର୍ବାଚନ ମଣ୍ଡଳୀ କଥା ବୁଝିବାକୁ ସକ୍ରିୟ ହୋଇଛନ୍ତି । ସେପଟେ ଆଶାୟୀଙ୍କ ତାଲିକା ବି ବେଶ ଲମ୍ବା । ଗଞ୍ଜାମ ଜିଲ୍ଲାରୁ ଜଣଙ୍କୁ କ୍ୟାବିନେଟରେ ନେଇପାରନ୍ତି ନବୀନ । ଏହି କ୍ରମରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଗରେ ରହିଛନ୍ତି । କେନ୍ଦ୍ରାପଡା ଜିଲ୍ଲାକୁ ଏଥର ବି ଗୁରୁତ୍ବ ମିଳିପାରେ । ଉଭୟ ଅତନୁ ସବ୍ୟସାଚୀ ଓ ପ୍ରତାପ ଦେବ ଦୌଡ଼ରେ ରହିଛନ୍ତି । ପ୍ରଥମ ପାଳିରେ ଉଭୟ ନିରାଶ ହୋଇଥିଲେ। ଦ୍ବିତୀୟ ପାଳିରେ ଏମାନଙ୍କ ମଧ୍ୟରୁ ଜଣଙ୍କୁ କିମ୍ବା ଆବଶ୍ୟକ ହେଲେ ଦୁଇ ଜଣଙ୍କୁ ଟିମରେ ରଖିପାରନ୍ତି ମୁଖିଆ । ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ଆଉ କିଛି ନେତା ଲବି ଆରମ୍ଭ କରି ଦେଇଛନ୍ତି। ତେବେ ଚୂଡାନ୍ତ ରୂପରେଖ କଣ ରହୁଛି ତାକୁ ଅପେକ୍ଷା ।
ସେପଟେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଛି । ତାଙ୍କ ପରେ କିଏ ହେବେ ମୁଖ୍ୟ ଶାସନ ସଚିବ ? ସେନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ଦୌଡ଼ରେ ତିନି ଜଣ ବରିଷ୍ଠ ଅଧିକାରୀଙ୍କ ନାଁ ଶୁଣାଯାଉଛି। ଆଗରେ ରହିଛନ୍ତି, ୧୯୮୬ ବ୍ୟାଚ୍ IAS ଅଫିସର ସୁରେଶ ମହାପାତ୍ର । ଅସିତ ତ୍ରିପାଠୀଙ୍କ ପରେ ସେ ରାଜ୍ୟ ପ୍ରଶାସନରେ ବରିଷ୍ଠ ଅଧିକାରୀ ସୁରେଶ ମହାପାତ୍ର ୨୦୨୨ ଫେବ୍ରୁଆରୀରେ ଅବସର ଗ୍ରହଣ କରିବେ । ସେପଟେ ଆଉ ଜଣେ ଦାବିଦାର ହେଲେ ୧୯୮୫ ବ୍ୟାଚ୍ IAS ଉପେନ୍ଦ୍ର ପ୍ରସାଦ ସିଂହ । ସେ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ଉପେନ୍ଦ୍ରଙ୍କ କାର୍ଯ୍ୟକାଳ ୨୦୨୨ ମସିହା ଅକ୍ଟୋବର ମାସରେ ଶେଷ ହେଉଛି । ତେଣୁ ଉପେନ୍ଦ୍ର ପ୍ରସାଦ ସିଂହ ଏହି ରେସରେ ନଥିବା କୁହାଯାଉଛି ।
ପୁଣି ରେସରେ ଜୋଡି ହୋଇଛି ଆଉ ଜଣଙ୍କ ନାଁ । ୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡର IAS ଅଫିସର ରାଜେଶ ବର୍ମା । ସେ ୨୦୧୯ ରୁ କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ କୃଷି ମନ୍ତ୍ରଣାଳୟ ସ୍ବତନ୍ତ୍ର ସଚିବ ଅଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ବି ଥିଲେ ରାଜେଶ ବର୍ମା । ତାଙ୍କର ଚାକିରି କାର୍ଯ୍ୟକାଳ ଆହୁରି ୪ବର୍ଷ ରହିଛି । ମୁଖ୍ୟ କଥା ହେଉଛି ଏହି ଦୁଇ ଅଧିକାରୀ ଅଣ ଓଡିଆ। ତାଙ୍କୁ ଏହି ପଦବୀରେ ବସାଇବାକୁ ହୁଏତ ଅମଙ୍ଗ ହୋଇପାରନ୍ତି ମୁଖିଆ ।
ନୂଆ ମୁଖ୍ୟ ଶାସନ ସଚିବ ଆସିଲେ ସେ ତାଙ୍କ ଟିମ କରିବେ । ଫଳରେ ଆଇଏଏସ, ଆଇଏଫସ ସ୍ତରରେ ବି ଅଦଳବଦଳ ହେବ । ତେବେ ଏସବୁ ଭିତରେ କାହା ନାଁରେ ମୋହର ମାରିବେ ମୁଖ୍ୟମନ୍ତ୍ରୀ ତାକୁ ହିଁ ସମସ୍ତଙ୍କ ଅପେକ୍ଷା ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ