ଭୁବନେଶ୍ବର: 2024 ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ନୂଆ ଟିମ ଗଢିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରର ପଞ୍ଚମ ପାଳିରେ ମାଷ୍ଟରଷ୍ଟୋକ ଖେଳି ମନ୍ତ୍ରୀ ବଦଳାଇଛନ୍ତି ନବୀନ । ଟିମରେ 5 ନୂଆ ମୁହଁ ସାମିଲ ହେବା ସହ 5 ପୁରୁଣା ଚେହେରା ମନ୍ତ୍ରୀମଣ୍ଡଳକୁ ଫେରିବେ । ମୋଟ 8 ଜଣ ମନ୍ତ୍ରୀଙ୍କ ପଦ ରହିଛି । ଆଜି ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବେ । ଆଜି (ରବିବାର) ପୂର୍ବାହ୍ନ 11.45ଟାରେ ଲୋକସଭା ଭବନର କନଭେସନ ହଲରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶପଥ ପାଠ କରାଇବେ ।
ପ୍ରଥମ ଥର ପାଇଁ ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ 22 ବର୍ଷ ଶାସନ ଭିତରେ ଏପରି କେବେ ହୋଇନଥିଲା । 20 ମନ୍ତ୍ରୀଙ୍କ ଇସ୍ତଫା ପରେ ନୂଆ ଟିମ ଗଢିଛନ୍ତି ନବୀନ । 12 ଜଣ ମନ୍ତ୍ରୀଙ୍କ ପଦକୁ ଅବ୍ୟାହତି ଦିଆଯାଇଛି । ଏଥିରେ କୃଷିମନ୍ତ୍ରୀ ପଦରେ ଥିବା ଅରୁଣ ସାହୁ, ନଗର ଉନ୍ନୟନ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖ, ଶକ୍ତି ଓ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ରହିଛନ୍ତି ।
ସାମ୍ଭାବ୍ୟ ନୂଆ ମନ୍ତ୍ରୀ ତାଲିକା
ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ପାଇଁ ସାମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ନୂଆ ଚେହେରା ହେଲେ ରେଢାଖୋଲ ବିଧାୟକ ରୋହିତ ପୂଜାରୀ,ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର, ବିଜେପୁର ବିଧାୟକ ରୀତା ସାହୁ ଓ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ । ଏମାନେ ପ୍ରଥମ ଥର ପାଇଁ ମନ୍ତ୍ରୀ ହେବେ । ସେହିପରି ମନ୍ତ୍ରୀମଣ୍ଡଳକୁ ଫେରିଛନ୍ତି ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ଦେବ ଓ ପ୍ରଦୀପ ଅମାତ ।
ଅଶୋକ ପଣ୍ଡା, ନିରଞ୍ଜନ ପୂଜାରୀ, ନବକିଶୋର ଦାସ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଟୁକୁନି ସାହୁ, ସମୀର ରଞ୍ଜନ ଦାସ, ପ୍ରଫୁଲ୍ଲ ମଲ୍ଲିକ ଓ ଜଗନ୍ନାଥ ସାରକାଙ୍କ ଉପରେ ନବୀନ ପୁନଃ ଆସ୍ଥା ପ୍ରକଟ କରିଛନ୍ତି । ଏମାନେ ପୁଣି ଶପଥ ନେବେ ।