ଭୁବନେଶ୍ବର: ଶୀତ ଅଧିବେଶନରେ ସୁରୁଖୁରୁରେ ଗୃହ ଚଳାଇବାକୁ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ତେବେ ଏହି ସର୍ବଦଳୀୟ ବୈଠକ ମଧ୍ୟ ବିଫଳ ହୋଇଛି । ବିରୋଧୀଙ୍କ ଦାବି ରାଜ୍ୟ ସରକାର ପୂରଣ କରୁନଥିବା ଅଭିଯୋଗ ହୋଇଛି । ଏହାକୁ ଉଭୟ କଂଗ୍ରେସ ଓ ବିଜେପି କ୍ଷୋଭ ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଗୃହକୁ ଆସନ୍ତୁ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯାଉ, କୌଣସି ଆଲୋଚନାରେ ଗୃହରାଷ୍ଟ୍ର ମନ୍ତ୍ରୀ ଭାଗ ନନିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ । ମମିତା ମେହେର ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ ଦାବି କରିଛନ୍ତି ବିରୋଧୀ । କିନ୍ତୁ କୌଣସି ଦାବି ପୂରଣ କରିବାକୁ ରାଜ୍ୟ ସରକାର ରାଜି ହେଉନଥିବା ଅଭିଯୋଗ ହୋଇଛି ।
ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଗ ଦେବେ ବୋଲି ଶାସକ ଦଳ କହିଛି । ତେବେ ଯଦି ମୁଖ୍ୟମନ୍ତ୍ରୀ ଅନ୍ୟ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି କାହିଁକି ଆସିବେନି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ବିରୋଧୀ ନିଜ ଦାବିକୁ ନେଇ ଅଟଳ ରହିଛନ୍ତି । ଶାସକ ଦଳ ଗୃହ ଚଳାଇବାକୁ ଚାହୁଁ ନଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ।
ରାଜ୍ୟ ସରକାର ଗୃହ ଚଳାଇବା ପାଇଁ ଆନ୍ତରିକତା ଦେଖାଉନଥିବା ଅଭିଯୋଗ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ।
ଭୁବେନଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ