ଭୁବନେଶ୍ବର: ଶୂନ୍ୟକାଳରେ ଧାନ କିଣା ପ୍ରସଙ୍ଗ ଉଠାଇଲେ ବିରୋଧୀ । ସରକାରଙ୍କୁ ଘେରିଲେ ଉଭୟ ବିଜେପି ଓ କଂଗ୍ରେସ । ଖୁବଶୀଘ୍ର ଧାନ ଉଠାଇବାକୁ ଦାବି କଲେ ଦୁଇ ଦଳ ।
ସେପଟେ ବିଜେପି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଚାଷୀଙ୍କ ଧାନ ନ ଉଠିଲେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି । ସେହିପରି ଗୃହ ମଧ୍ୟକୁ ଆସି ବିଜେପି ସଦସ୍ୟ ହଟ୍ଟଗୋଳ କରିଛନ୍ତି । ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ସମାନ ଦାବି କରିଛନ୍ତି ।
ଯଦି ଚାଷୀ ଧାନ ବିକିବାକୁ ପଞ୍ଜିକରଣ କରିଛି, ସେ ଧାନ ବିକିବ ଓ ସରକାର ଧାନ କିଣିବାକୁ ବାଧ୍ୟ । ଏନେଇ ଯୋଗାଣ ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି ନରସିଂହ ମିଶ୍ର । ଏହି ସମୟରେ ବାଚସ୍ପତି ଓ ନରସିଂହଙ୍କ ମଧ୍ୟରେ କଥା କଟାକଟି ହେବା ସହ ମନ୍ତ୍ରୀ ଅସୁସ୍ଥ ଥିବାରୁ ଆସନ୍ତାକାଲି ଉତ୍ତର ଦେବେ ବୋଲି ଉପ ବାଚସ୍ପତି ଓ ସଂସଦୀୟ ମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି ।
ତେବେ ବିରୋଧୀ ଉତ୍ତର ଦାବି କରି ଗୃହ ମଧ୍ୟକୁ ଆସି ହଟ୍ଟଗୋଳ କରିଛନ୍ତି । ଏହା ସହ ନରସିଂହଙ୍କ ସମେତ କଂଗ୍ରେସ ବିଧାୟକ ୱେଲ ମଧ୍ୟରେ ଧାରଣାରେ ବସିବାରୁ ଉପ ବାଚସ୍ପତି ଗୃହ କାର୍ଯ୍ୟକୁ 10 ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ(ବ୍ୟୁରୋ ଚିଫ୍), ଇଟିଭି ଭାରତ