ଭୁବନେଶ୍ବର: ଷୋଡଶ ବିଧାନସଭା ଦଶମ ଅଧିବେଶନର ଆଜି ଚତୁର୍ଥ ଦିନ । ଆଜି ଗୃହରେ ବିରୋଧୀ ବିଜେପି ରାଜ୍ୟରେ ନିଶା କରବାର ଓ ବ୍ୟବସାୟକୁ ନେଇ ଏକ ମୁଲତବୀ ନୋଟିସ ଅଣିଥିଲା । ଯାହାର ଶୀର୍ଷକ ରହିଥିଲା ‘ନିଶାଦ୍ରବ୍ୟ ମଦରେ ବଡୁଛି ସାରା ଓଡିଶା, ଗରିବ ମହିଳାମାନଙ୍କ କିଏ ହେବ ସାହା ଭରସା’
ଏହାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ନିଶାଦ୍ରବ୍ୟ କାରବାରକୁ ନେଇ ରାଜ୍ୟ ସରକାର ଦୋମୁହାଁ ନୀତି ଆପଣାଇଛନ୍ତି । ସାରା ଓଡିଶା ମଦ, ଗଞ୍ଜେଇ, ବ୍ରାଉନ ସୁଗର, ଚରସ ଭଳି ନିଶାରେ ସାରା ରାଜ୍ୟ ବୁଡିଯାଇଛି । ଗତ 2017 ମସିହାରେ ମାହାତ୍ମା ଗାନ୍ଧୀଙ୍କ ଶତବାର୍ଷିକୀ ପାଳନ ପ୍ରସ୍ତାବ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ମାହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ଯଦି ଅହିଂସା ଶବ୍ଦକୁ ଯୋଡାଯିବ ତେବେ ମହାତ୍ମା ଗାନ୍ଧୀ ମଦକୁ ମଧ୍ୟ ବିରୋଧ କରୁଥିଲେ । ତାହା ହେଲେ ମୁଖ୍ୟମନ୍ତ୍ରୀ କେମିତି ମଦକୁ ପ୍ରୋତ୍ସାହନ ଦେଉଛନ୍ତି । ଦ୍ବିତୀୟ ଅଭିଯୋଗ କରି ମୋହନ କହିଛନ୍ତି 2018 ଅଗଷ୍ଟରେ ରାଜ୍ୟ ସରକାର ମୁଁ ବି ହେବି ହିରୋ ନାରା ଦେଇ ବିଜୁ ଯୁବବାହୀନି ନାମରେ ଏକ ଉପ-ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜାନର ଲକ୍ଷ୍ୟ ଥିଲା ବ୍ୟାପକ ବୃକ୍ଷରୋପଣ କରିବା, ନିଶା ସେବନ ଦ୍ରବ୍ୟକୁ ବନ୍ଦ ସହ ସଚେତନ କରାଇବା । ତୃତୀୟରେ ନବଚେତନା ଭଳି ଏକ କାର୍ଯ୍ୟକ୍ରମ କରି ରାଜ୍ୟର 10 ଟି ଜିଲ୍ଲାରେ 3 ବର୍ଷ ପର୍ଯ୍ୟନ୍ତ ନିଶା ସେବନ କାରବାର ବିରୋଧରେ ସେଚତନା କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା ଥିଲା । ମୋହନ ଅଭିଯୋଗ କରି କହିଛନ୍ତି ସରକାର ଗୋଟିଏ ପଟେ ମଦ ବନ୍ଦ ପାଇଁ ଯୋଜନା କରୁଛନ୍ତି । ଅନ୍ୟପଟେ ମଦକୁ ପ୍ରୋତ୍ସାହନ ଦେଉଛନ୍ତି । ନିଶା ଶୁ୍କ୍ଲ ହ୍ରାସ କଲେ । ଯେଉଁ ମାନେ ଅଧିକ ମଦ ବିକ୍ରି କରିପାରିବେ ତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି । ଯାହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ମୋହନ କହିଛନ୍ତି ।
ସେପଟେ ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ଦେଇ ଅବକାରୀ ମନ୍ତ୍ରୀ ଅଶ୍ବିନୀ ପାତ୍ର କହିଛନ୍ତି ବେଆଇନ ମାଦକ ଦ୍ରବ୍ୟ ସେବନ ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ, ଆର୍ଥିକ ସ୍ଥିତି ଓ ଧନ ଜୀବନ ପ୍ରଭାବିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟକ ବର୍ଷ ଜୁନ 26 ତାରିଖରେ ରାଜ୍ୟ ତଥା ଜିଲ୍ଲାସ୍ତରରେ ଜନସଚେତନତା ସୃଷ୍ଟି କରାଯାଉଛି ।
ଏହାବାଦ ଚୋରା ମଦ ଓ ମାଦକ ଦ୍ରବ୍ୟକୁ ପ୍ରତିହତ କରିବା ପାଇଁ ରାଜ୍ୟର 4ଟି ଅବକାରୀ ଗୁଇନ୍ଦା ସଂସ୍ଥା କାର୍ଯ୍ୟକରୁଛି। ଜିଲ୍ଲାସ୍ତରରେ ମଲ୍ଟି ଡିସି ପ୍ଲେନାରୀ ସ୍କ୍ୱାର୍ଡ, 33 ଟି ଅବକାରୀ ଜିଲ୍ଲାରେ ଅବକାରୀ ଟିମ , 192ଟି ଅବକାରୀ ଥାନା 58 ଟି ରେଞ୍ଜ ଅଫିସ 33ଟି ଜିଲ୍ଲା କାର୍ଯ୍ୟାଳୟ, 3ଟି ଆଞ୍ଚଳିକ କାର୍ଯ୍ୟାଳୟ ଓ ଗୋଟିଏ ଅବକାରୀ ନିର୍ଦେଶାଳୟ କାମ କରୁଛି। ପ୍ରଥମ ଥର ପାଇଁ ବେଆଇନ ଗଞ୍ଜେଇ ପ୍ରବଣ ଜିଲ୍ଲା ମାନଙ୍କରେ ଡ୍ରୋନ ଦ୍ବାରା ସର୍ଭେ କରାଯାଇଛି ।
ଗତ ବର୍ଷରେ ସର୍ବଧିକ 19 ହଜାର 774.63 ଏକର ସରକାରୀ ଓ ଜଙ୍ଗଲ ଜମିରେ ଥିବା 3 କୋଟି 29 ଲକ୍ଷ 14 ହଜାର 32 ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଏତତ ବ୍ୟତୀତ ଇ-ଅବକାରୀ ୱେବ ପୋର୍ଟାଲ ମାଧ୍ୟମରେ ପ୍ରତ୍ୟେକ ଦିନ ଏନଫୋର୍ସମେଣ୍ଟ କାର୍ଯ୍ୟକ୍ରମକୁ ନିରୀକ୍ଷଣ କରାଯାଉଛି । 202122ରେ ବେଆଇନ ମଦ କାରବାରରେ 3 ହଜାର 359 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । 197, 636 କେଜି ଗଂଜେଇ, 61, 636 ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। 11 ଗୋଟି ମାମଲାରେ ପ୍ରାଧିକୃତ ଅଧିକାରୀଙ୍କ ଆଦେଶ ଅନୁଯାୟୀ 21.09 କୋଟି ଟଙ୍କାର ସମ୍ପତି ବ୍ୟାଜପ୍ତି କରାଯାଇଛି ବୋଲି ଗୃହରେ ଅବକାରୀ ମନ୍ତ୍ରୀ ଉତ୍ତର ରଖିଛନ୍ତି।
ଇଟିଭି ଭାରତ, ଭୁବନେଶ୍ବର