ଭୁବନେଶ୍ବର: ରିଲିଜ ହେବାକୁ ଯାଉଛି ଓଡିଆ ପ୍ରଯୋଜକଙ୍କ ବଲିଉଡ ଚଳଚ୍ଚିତ୍ର ‘ପୁଷ୍ପା ଆଇ ହେଟ ଟିଅରସ’ । ଏହା ଆସନ୍ତା 28 ତାରିଖରେ ସାରା ଦେଶରେ ହିନ୍ଦୀ ଭାଷାରେ ମୁକ୍ତି ଲାଭ କରିବାକୁ ଯାଉଥିବା ବେଳେ କନ୍ନଡ଼ ଭାଷାରେ କର୍ଣ୍ଣାଟକର 60ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏଥିରେ କପିଲ କମେଡି ନାଇଟର ଫେମସ କ୍ରିଷ୍ଣା ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିସହ ପୁଷ୍ପା ଭୂମିକାରେ କାଶ୍ମୀରି ଗାର୍ଲ ଅଜ୍ଜୁମନ ମୁଘଲ ଓ ସାଥୀରେ କନ୍ନଡ଼ ଷ୍ଟାର କାର୍ତ୍ତିକ ଜୟରାମ, ବଙ୍ଗାଳି ଅଭିନେତ୍ରୀ ଅନୁସ୍ମୃତି ସରକାର ଲିଡ଼ ଚରିତ୍ରରେ ନଜର ଆସିବେ।
ଏହା ପୂର୍ବରୁ ଏହାର ଓଡିଶାରେ ପ୍ରମୋସନ ପାଇଁ ଆୟୋଜିତ ଉତ୍ସବରେ ଓଡ଼ିଆ ପ୍ରଯୋଜକ ଅମୂଲ୍ୟ ଦାସ କହିଛନ୍ତି ସେ ଅନେକ ଦିନରୁ ବଲିଉଡରେ ପାଦ ଥାପିବାକୁ ପ୍ରୟାସ କରିଥିବା ବେଳେ ଏହା ତାଙ୍କର ପ୍ରଥମ ଫିଲ୍ମ । ଯାହାକି ସସପେନ୍ସ ଥ୍ରୀଲର, ଡ୍ରାମା ଏବଂ କମେଡିର ସମ୍ମିଶ୍ରଣ ଅଟେ। ଏହି ଫିଲ୍ମଟି ପାଇଁ କାହାଣୀ ସହିତ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଦିନକର କପୁର ଏବଂ ଏହାର ଡାଇଲଗ ଓ ସ୍କ୍ରିନ ପ୍ଲେ ଲେଖିଛନ୍ତି ବାଜିଗର ଓ ସୂର୍ଯ୍ୟବଂଶମ ଫେମ ଆଦେଶ.କେ ଅର୍ଜୁନ।
ସେହିଭଳି ରାମୋଜୀ ଗୁଲାଟି ଫିଲ୍ମରେ ସଙ୍ଗୀତ ନିର୍ଦେଶନା ଦେଇଥିବା ବେଳେ ଗୀତ ଲେଖିଛନ୍ତି କଁୱର ଜୁନେଜା, ପାହ୍ବ ଏବଂ ମାକ। ତେବେ ଏହି ଫିଲ୍ମରେ ଅଭିନୟ କରିବା ସହ ପ୍ରଥମ ଥର ପାଇଁ ଏଥିରେ କ୍ରିଷ୍ଣା ଗୀତ ଗାଇଛନ୍ତି। ଯାହାକି ଫିଲ୍ମର ଟାଇଟଲ ଗୀତ । ଓଡିଆ ଦର୍ଶକମାନେ ଏହାକୁ ପ୍ରେକ୍ଷାଳୟକୁ ଯାଇ ଦେଖିବା ସହ ଓଡ଼ିଆ ପୁଅକୁ ସହଯୋଗର ହାତ ବଢାଇବାକୁ ପ୍ରଯୋଜନା ସଂସ୍ଥା ପକ୍ଷରୁ କଳାକାରମାନେ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ