ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମ୍ପୂର୍ଣ୍ଣ ସରକାରୀ କଳକୁ ବ୍ୟବବାର କରି ଅପପ୍ରଚାର କରୁଛି ବିଜେଡି ବୋଲି କହିଛନ୍ତି ଓବିସି ମୋର୍ଚାର ସଭାପତି ସୁରଥ ବିଶ୍ଵାଳ । ସେ କହିଛନ୍ତି, ଏବେ ଅନେକ ସ୍ଥାନରେ ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ପ୍ରତ୍ଯାହାର କରି ନେଇଥିବା ଜଣାପଡିଛି । ଗତ ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ନିର୍ବାଚନ ଫଳାଫଳ ଘୋଷଣା ହେଉଥିବା ସମୟରେ ବିଜେପିର ଜିତିବାକୁ ଯାଉଥିବା ପ୍ରାର୍ଥୀମାନଙ୍କୁ ଚକ୍ରାନ୍ତ କରି ହରାଇବାରେ ସକ୍ଷମ ହେଲେ । 15ରୁ 20 ସିଟ୍ ଆମକୁ ହରାଇଦେବାର ସଫଳ ହେଲେ ।
ଏଥର ବି ଶାସକ ଦଳ ଆକ୍ରମଣ କରି ଆତଙ୍କରାଜ ସ୍ରୁଷ୍ଟି କରୁଛନ୍ତି । ଦୁଇ ଦିନ ତଳେ ଚିକିଟିରେ, କାଲିମେଳା, ଭଟଲି, ଯାଜପୁରରେ ଏହିଭଳି ଘଟଣା ଦେଖିବାକୁ ମିଳିଛି । ଶାସକ ଦଳ ବଳ ପ୍ରୟୋଗ କରି ଆମ ଦଳରେ ପ୍ରାର୍ଥୀ ମାନଙ୍କୁ ପ୍ରତ୍ୟାହାର କରିବା ଲାଗି ବାଧ୍ୟ କରିଛନ୍ତି । ଆହୁରି ମଧ୍ୟ କେତେକ ସ୍ଥାନରେ ଦେଖିବାକୁ ମିଳିଛି ପ୍ରଶାସନକୁ ବ୍ୟବହାର କରି ତାଙ୍କ ପ୍ରାର୍ଥୀପତ୍ର ଖାରଜ କରାଯାଇଛି । ସରକାରୀ ପ୍ରଶାସନକୁ ଅପବ୍ୟବହାର କରୁଛନ୍ତି ଶାସକ ଦଳ କିନ୍ତୁ, ବିଜେପି କେବେ ପଛଘୁଞ୍ଚା ଦେବନାହିଁ ବୋଲି କହିଛନ୍ତି ସୁରଥ ବିଶ୍ଵାଳ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ