ଜଗତସିଂହପୁର/ଭୁବନେଶ୍ବର: ନର୍ସ ନିହାରିକା ମର୍ଡର ମିଷ୍ଟ୍ରିକୁ ନେଇ ଲାଗି ରହିଛି ସସପେନ୍ସ । ହତ୍ୟାର 9ଦିନ ପରେ ବି ହତ୍ୟାକାଣ୍ଡ ଉପରୁ ହଟିନି ପରଦା । ଏପଟେ ନିହାରିକାଙ୍କ ପୁରୁଷ ବନ୍ଧୁ କିଶୋର ଅଞ୍ଚଳ ଓରଫ ରାଜା ଉପରେ ସନ୍ଦେହ ଘନିଭୂତ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିବାରେ ପୋଲିସ ସଫଳ ହୋଇ ନଥିବା ବେଳେ ସନ୍ଦେହରେ 6ଜଣଙ୍କୁ ଅଟକ ରଖିଛି ପୋଲିସ ।
ହତ୍ୟାକାରୀ କିଏ ଜଣାପଡିନଥିବା ବେଳେ ମୃତ୍ୟୁ ପୂର୍ବରୁ ନିହାରିକାଙ୍କ ଶେଷ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ନିଜ ପୁରୁଷବନ୍ଧୁଙ୍କୁ ଭେଟିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଏପଟେ ପୋଲିସ ସିସିଟିଭି ଫୁଟେଜ୍ ପୋଲିସ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।
ଅନ୍ୟପଟେ ନିହାରିକା ହତ୍ୟାକାଣ୍ଡକୁ ନେଇ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ନିହାରିକା ଓ ରାଜାଙ୍କ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ରାଜାଙ୍କ ମା’ । ‘ଉଭୟେ 6 ବର୍ଷ ହେଲା ପରସ୍ପରକୁ ଭଲ ପାଇଆସୁଥିଲେ । ଆଉ 4 ମାସ ମଧ୍ୟରେ ଉଭୟଙ୍କ ବିବାହ ହୋଇଥାନ୍ତା । ରାଜାଙ୍କ ମା’ଙ୍କ ଏହି ବୟାନ ପରେ ସସପେନ୍ସ ଆହୁରି ବଢିବାରେ ଲାଗିଛି । ଆଉ ଏହାରି ଭିତରେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠୁଛି ।
ଆଉ ଏକମାତ୍ର ରୋଜଗାରିଆ ଝିଅକୁ ହରାଇ ବାପା ମା’ ସ୍ତବ୍ଧ ପାଲଟି ଯାଇଛନ୍ତି । ଏପର୍ଯ୍ୟନ୍ତ ବି ବିଶ୍ବାସ କରୁ ପାରୁ ନାହାନ୍ତି ଝିଅର ମୃତ୍ୟୁ ହୋଇଯାଇଛି । ଆଉ ଝିଅକୁ ଝୁରି ଝୁରି ବାପା ମା’ଙ୍କ ଆଖିରୁ ଲୁହ ଶୁଖୁନି । ହତ୍ୟାକାରୀକୁ ଗିରଫ କରିବା ପାଇଁ ଦାବି କରିଛନ୍ତି । କେବେ ନିହାରିକା ହତ୍ୟାକାରୀ ଧରାପଡିବ ତାହାକୁ ସମସ୍ତଙ୍କ ଅପେକ୍ଷା ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର ଓ ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ