ଭୁବନେଶ୍ବର: ଏଣିକି ରାଜ୍ୟରେ ଭିନ୍ନକ୍ଷମକୁ ପରିଚୟ ପତ୍ର ପାଇଁ ନାନା ହଇରାଣ ହେବାକୁ ପଡିବ ନାହିଁ । ଭିନ୍ନକ୍ଷମମାନଙ୍କୁ ପରିଚୟ ପତ୍ର ପ୍ରଦାନ ବ୍ୟବସ୍ଥାର ସରଳୀକରଣ କରାଯାଇଛି । ସ୍ବୀକୃତିପ୍ରାପ୍ତ ଚିକିତ୍ସକ, ଜିଲ୍ଲା ସ୍ତରରେ କାର୍ଯ୍ୟରତ ଭିନ୍ନକ୍ଷମ ତଥା ପୁନର୍ବାସ ଅନୁଷ୍ଠାନର ତାଲିମପ୍ରାପ୍ତ ଅଧିକାରୀମାନେ ବର୍ତ୍ତମାନ ଦେଇ ପାରିବେ ଭିନ୍ନକ୍ଷମ ପରିଚୟ ପତ୍ର । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।
ମନ୍ତ୍ରୀ କହିଛନ୍ତି ଯେ, ଭିନ୍ନକ୍ଷମମାନଙ୍କୁ ପରିଚୟପତ୍ର ପ୍ରଦାନ ବ୍ୟବସ୍ଥାର ସରଳୀକରଣ ନିମନ୍ତେ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । ବିଭିନ୍ନ ସରକାରୀ ସ୍ବାସ୍ଥ୍ୟନୁଷ୍ଠାନ, ରାଜ୍ୟ ଭିନ୍ନକ୍ଷମ ପୁନଃର୍ବାସ ପ୍ରତିଷ୍ଠାନ, ରାଜ୍ୟ ସ୍ବତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ବିଭାଗ ଅଧୀନସ୍ଥ ଶିକ୍ଷାନୁଷ୍ଠାନ ଏବଂ ଶିକ୍ଷକ ଶିକ୍ଷା କେନ୍ଦ୍ରରେ ଅବସ୍ଥାପିତ ଡାକ୍ତର ଏବଂ ଅଧିକାରୀମାନେ ଭିନ୍ନକ୍ଷମ ପରିଚୟ ପତ୍ର ପ୍ରଦାନ କରିପାରିବେ ।
ତେବେ ଉପରୋକ୍ତ ଅଧିକାରୀମାନେ ପ୍ରଦାନ କରୁଥିବା ପରିଚୟ ପତ୍ରର ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରିବେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପରିଚୟ ପତ୍ର ପ୍ରଦାନ ବ୍ୟବସ୍ଥାର ତଦାରଖ କରିବ । ମନ୍ତ୍ରୀ ଆହୁରି କହିଛନ୍ତି, ପରିଚୟ ପତ୍ରରେ ଏହା ପ୍ରଦାନ କରୁଥିବା ଅଧିକାରୀଙ୍କ ପଦବୀ, ତାରିଖ ଓ ସ୍ଥାନ, ଭିନ୍ନକ୍ଷମଙ୍କ ନାମ, ଅକ୍ଷମତାର ବର୍ଗ, ଆଧାର ନମ୍ବର, ଲିଙ୍ଗ-ବୟସ-ଜାତି-ପିତାମାତାଙ୍କ ନାମ-ଠିକଣା, ଜିଲ୍ଲା, ନିଦାନ ସହିତ ଭିନ୍ନକ୍ଷମ ସମସ୍ୟାର ପରିମାଣ ‘ସ୍ତର (ରେଞ୍ଜ)’ ଇତ୍ୟାଦି ଉଲ୍ଲେଖ କରାଯିବ ।
ଅକ୍ଷମତା ୪୦ ପ୍ରତିଶତରୁ କମ୍ ଥିଲେ, ୪୦ ପ୍ରତିଶତରୁ ଅଧିକମାତ୍ର ୬୦ ପ୍ରତିଶତରୁ କମ୍ ଥିଲେ, ୬୦ରୁ ଅଧିକ କିନ୍ତୁ ୮୦ ପ୍ରତିଶତରୁ କମ୍ ଏବଂ ୮୦ ପ୍ରତିଶତରୁ ଅଧିକ ଥିଲେ ସେସବୁକୁ ଯଥାକ୍ରମେ ଅଳ୍ପ, ମଧ୍ୟମ, ଗୁରୁତର ଓ ଅତ୍ୟନ୍ତ ଗୁରୁତର ବୋଲି ବିଚାର କରାଯାଇ ପରିଚୟ ପତ୍ରରେ ଲିପିବଦ୍ଧ କରାଯିବ ।
ବିଭିନ୍ନ ପ୍ରକାର ଭିନ୍ନକ୍ଷମ ସମସ୍ୟା ତଦାରଖ ଓ ଚିହ୍ନଟ କରି ପରିଚୟ ପତ୍ର ପ୍ରଦାନ କରିବା ପାଇଁ ନିର୍ଦ୍ଧାରିତ ଅଧିକାରୀମାନଙ୍କ ମଧ୍ୟରେ ଅଛନ୍ତି,ମେଡିକାଲ୍ ଅଫିସର,ପ୍ରୋସ୍ଥେଟିକ୍ ଇଂଜିନିୟର, ପ୍ରୋସ୍ଥେଟିଷ୍ଟ, ଅର୍ଥୋଟିଷ୍ଟ, ଫିଜିଓଥେରାପିଷ୍ଟ, ଅକୁପେସନାଲ୍ ଥେରାପିଷ୍ଟ, ରିହାବଲିଟେସନ୍ ଥେରାପିଷ୍ଟ, ଡେଭେଲପ୍ମେଣ୍ଟାଲ ଥେରାପିଷ୍ଟ, କ୍ଲିନିକାଲ୍ ସାଇକୋଲୋଜିଷ୍ଟ, ମୋବିଲିଟି ଇନ୍ଷ୍ଟ୍ରକଫର, ମାଇକ୍ରୋ ବାୟୋଲୋଜିଷ୍ଟ ଓ ସ୍ପେଶାଲ ଏଡୁକେଟର ଇତ୍ୟାଦି ।
ଏପରି ସରଳୀକରଣ ବ୍ୟବସ୍ଥା ଫଳରେ ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସହାୟତା ପାଇବାରେ ହିତାଧିକାରୀମାନଙ୍କୁ ସୁବିଧା ହେବ ଓ କାର୍ଯ୍ୟକ୍ରମ ବ୍ୟାପକ ହୋଇପାରିବ । ସମ୍ଭାବ୍ୟ ହିତାଧିକାରୀମାନଙ୍କୁ ଅଯଥା ଶ୍ରମ, ସମୟ ଓ ଆର୍ଥିକ ବୋଝରୁ ମଧ୍ୟ ମୁକ୍ତି ମିଳିବ । ଏହି ପରିଚୟ ପତ୍ର ଆଧାରରେ ହିତାଧିକାରୀମାନଙ୍କୁ ବିଭାଗ ପକ୍ଷରୁ ପେନ୍ସନ୍, ସହାୟତା, ଉପକରଣ, ବିଭିନ୍ନ ପ୍ରୋତ୍ସାହନ, ଦକ୍ଷତା ବିକାଶ ତାଲିମ, ରାଜ୍ୟ ସରକାରଙ୍କ ବୃତ୍ତି, ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନରେ ନାମଲେଖା ଇତ୍ୟାଦିର ସୁବିଧା ମିଳିପାରିବ ।
ଉଲ୍ଲେଖଯୋଗ୍ୟ ଯେ, ଏହି ପରିଚୟ ପତ୍ର ପାଉଥିବା ହିତାଧିକାରୀମାନଙ୍କୁ ଚାକିରି ଓ ଶିକ୍ଷା ଗ୍ରହଣ କ୍ଷେତ୍ରରେ ସଂରକ୍ଷଣ ସୁବିଧା ଉପଲବ୍ଧ ହେବ ନାହିଁ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ