ଭୁବନେଶ୍ବର: ଏଣିକି ଆଉ ନିଯୁକ୍ତ ହେବେନି ଡାଟା ଏଣ୍ଟ୍ରି ଅପରେଟର । ଏନେଇ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି । କୌଣସି ବିଭାଗ, ବିଭାଗୀୟ ମୁଖ୍ୟଦପ୍ତର କିମ୍ବା ସରକାରୀସ୍ତରରେ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ନିଯୁକ୍ତି ହେବେ ନାହିଁ । ସରକାରୀ କିମ୍ବା ଆଉଟସୋର୍ସିଂ ସଂସ୍ଥା ଜରିଆରେ ବି ନିଯୁକ୍ତି ଦିଆଯିବନାହିଁ । ଡିଇଓ ନିଯୁକ୍ତି ନକରିବା ପାଇଁ ଗୃହ ବିଭାଗ ପକ୍ଷରୁ ସବୁ ବିଭାଗ ମୁଖ୍ୟଙ୍କୁ ଏକ ନିର୍ଦେଶନାମା ଜାରି ହୋଇଛି । ଏହା ସହ 70 ହଜାର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସରକାର ଛଟେଇ କରିପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଯାହାକୁ ନେଇ ବିବାଦ ଦେଖା ଦେଇଛି ।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାପଡିଛି ଯେ, ଡିଇଓ ନିଯୁକ୍ତିରେ ବ୍ୟତିକ୍ରମ ହୋଇଛି । ଡିଇଓମାନଙ୍କ ଯୋଗ୍ୟତା ପ୍ରମାଣପତ୍ର ଠିକଣା ଭାବେ ଯାଞ୍ଚ କରାନଯାଇ ନିଯୁକ୍ତି ଦିଆଯାଇଛି । ସେମାନଙ୍କ ନିଯୁକ୍ତିକୁ ଏବେ 6 ବର୍ଷରୁ ଊର୍ଦ୍ଧ୍ବ ହୋଇଯିବାରୁ ନିୟମିତ ଲାଗି ସେମାନେ ଦାବି କରୁଛନ୍ତି । ଏହା ଦ୍ବାରା ସରକାରଙ୍କ ଉପରେ ଅଯଥା ଚାପ ସୃଷ୍ଟି ହେଉଛି । ତେଣୁ ନୂଆ ନିଯୁକ୍ତି ହେବନାହିଁ । ଏବଂ ପୁରୁଣା ନିଯୁକ୍ତିର ଯାଞ୍ଚ କରାଯିବ । ପୂର୍ବରୁ ଯେଉଁ ଡିଇଓ ନିଯୁକ୍ତି ପାଇଛନ୍ତି ସେମାନଙ୍କ କାଗଜପତ୍ର ଯାଞ୍ଚ କରାଯିବ । ଯଦି କୌଣସି ପ୍ରମାଣପତ୍ରରେ ତ୍ରୁଟି ଥିବା ପରିଲକ୍ଷିତ ହେବ, ତେବେ ସଂପୃକ୍ତ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାକୁ ଦାୟୀ କରାଯିବ । ସଂପୃକ୍ତ ସଂସ୍ଥାକୁ ଜୋରିମାନା କରାଯିବା ସହିତ ସରକାରୀ ନିଯୁକ୍ତି ପ୍ରକ୍ରିୟାରୁ ବାଦ ଦିଆଯିବ ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ । ପୂର୍ବରୁ ଯେଉଁ ଡିଇଓମାନେ ଉଚ୍ଚନ୍ୟାୟାଳୟରେ ନିୟମିତ ଲାଗି ମାମଲା ରୁଜୁ କରିଛନ୍ତି ତାହାକୁ ଗୃହ ବିଭାଗ ତର୍ଜମା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ଦର୍ଶାଯାଇଛି । ଅର୍ଥ ଏବଂ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ଉଚ୍ଚନ୍ୟାୟାଳୟରେ ଏନେଇ ଏକ ଆବେଦନ ହୋଇଛି । ଗୃହ ବିଭାଗ ହେଉଛି କ୍ୟାଡର ନିୟନ୍ତ୍ରଣ ବିଭାଗ । ଏଣିକି ଡିଇଓମାନେ ରାଜ୍ୟ କର୍ମଚାରୀ ପ୍ରବଣନ ଆୟୋଗଙ୍କ ନିୟମ-2008 ଅନୁଯାୟୀ ନିଯୁକ୍ତ ହେବେ ।
ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି ଯେ, ସରକାରଙ୍କ ଠିକା ନିଯୁକ୍ତିକୁ କଂଗ୍ରେସ କିଛିଦିନ ତଳେ ବିରୋଧ କରିଥିଲା । 2 ଲକ୍ଷ 63 ହଜାର ସରକାରୀ ପଦବୀ ଏବେ ବି ଖାଲି ଅଛି । ଯାହା ମୂଳ ପଦବୀର 38.6 ପ୍ରତିଶତ ଅଟେ । କିନ୍ତୁ ରାଜ୍ୟ ସରକାର 2001ରେ 50 ଭାଗ ପଦବୀ ଉଚ୍ଛେଦ କରିଛନ୍ତି । କିନ୍ତୁ ଡାଟା ଏଣ୍ଟ୍ରି ଅପରେଟରକୁ ରଖିନାହାନ୍ତି । ସେମାନଙ୍କୁ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାୟୀ ନିଯୁକ୍ତି ଲାଗି ସେମାନେ ଦାବି କରୁଛନ୍ତି । କିନ୍ତୁ ସରକାର ସେମାନଙ୍କୁ ଠିକାରେ ବି ରଖୁନାହାନ୍ତି ।
ଇଟିଭି ଭାରତ, ଭୁବନେଶ୍ବର