ଭୁବନେଶ୍ବର: ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଦିନ ଦିଅଁ ଦର୍ଶନ ପାଇଁ ମନ୍ଦିରରେ ଲାଗିଥାଏ ଅସମ୍ଭାଳ ଭିଡ । ହେଲେ ଚଳିତ ବର୍ଷ କୋରୋନା ଭକ୍ତ ଓ ଭଗବାନଙ୍କ ମଝିରେ ପାଚେରୀ ହୋଇ ଛିଡା ହୋଇଛି । ଆଜି ଭଳି ପବିତ୍ର ଦିନରେ ଖାଁ ଖାଁ ହୋଇଛି ମନ୍ଦିର । ରାଜଧାନୀର ସମସ୍ତ ମନ୍ଦିରରେ ଦେଖିବାକୁ ମିଳିଛି ଏପରି ସ୍ଥିତି ।
କୋରୋନାର ଦ୍ରୁତ ସଂକ୍ରମଣକୁ ନେଇ ବିଏମସି ଜାରି କରିଛି ନୂଆ ମାର୍ଗଦର୍ଶିକା । କଟକଣା ଅନୁଯାୟୀ ଭକ୍ତଙ୍କ ପାଇଁ ଧାର୍ମିକ ଅନୁଷ୍ଠାନ ବନ୍ଦ ରଖାଯାଇଛି। ଆଜିଠୁ ୧୬ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କଟକଣା । ଏହା ସହିତ ଜଳାଶୟ ଓ ଘାଟ ପୋଖରୀରେ ବୁଡ଼ ପକାଇବା ଉପରେ ରୋକ ଲଗାଇଛି ବିଏମସି । ଏହାକୁ ନେଇ ଭକ୍ତ ମନ୍ଦିର ବାହାରୁ ପ୍ରଭୁଙ୍କୁ ଦର୍ଶନ କରି ଫେରିବାକୁ ପଡୁଛି । ଫଳରେ ଖାଁ ଖାଁ ମନ୍ଦିର ପରିସର।
ରାଜ୍ୟରେ ପୁଣି କମବ୍ୟାକ କରିଛି କୋରୋନା । କୋଭିଡର କୋପରେ ଦୈନିକ ସଂକ୍ରମଣ ୧୦ ହଜାର ଛୁଇଁଲାଣି । ସେପଟେ ଓମିକ୍ରନ ମଧ୍ୟ ବ୍ୟାପିବାରେ ଲାଗିଛି । ବାଧ୍ୟ ହୋଇ ମକର ସଂକ୍ରାନ୍ତି ନେଇ କୋଭିଡ କଟକଣା ଜାରି କରାଯାଇଛି । ଏହାରି ଭିତରେ କେବଳ ନୀତିକାନ୍ତି ଜାରି ରହିଛି । କଟକଣା ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି କହିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ