ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦେଶରେ ବିଜୁଳିର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ କୋଇଲା ସଙ୍କଟ ମଧ୍ୟ ପରିଲିକ୍ଷିତ ହେଉଛି । ଏହା ଫଳରେ ଅନେକ ରାଜ୍ୟରେ କୋଇଲା ସଙ୍କଟ ଦେଖାଯାଉଛି । ଅନେକ ରାଜ୍ୟରେ କୋଇଲା ସଙ୍କଟକୁ ନେଇ ବିଜୁଳି କାଟ ହେଉଥିବା ବେଳେ ଓଡ଼ିଶାରେ ନାହିଁ କୋଇଲା ସଙ୍କଟ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ମୁଖ୍ୟ ଶାସନ ସଚିବଙ୍କ କହିବା ଅନୁଯାୟୀ," କିଛି ଦିନ ତଳେ ଓଡ଼ିଶାର ପାୱାର ଜେନେରେସନ ନେଇ ସମୀକ୍ଷା ହୋଇଥିଲା । ଅନ୍ୟ ରାଜ୍ୟରେ ଯେପରି 10ରୁ 12 ଘଣ୍ଟା ବିଜୁଳି କାଟ ହେଉଛି ବା କୋଇଲା ପହଞ୍ଚି ପାରୁନି, ସେ ଭଳି ସ୍ଥିତି ଓଡ଼ିଶାରେ ନାହିଁ । କାରଣ ରାଜ୍ୟରେ ସମସ୍ତ କୋଇଲା ଖଣି ଅଛି । ଓଡ଼ିଶାର ସବୁ ପାୱାର ପ୍ଲାଣ୍ଟ ଗୁଡିକୁ ପର୍ଯ୍ୟାପ୍ତ କୋଇଲା ଯୋଗାଇବାକୁ MCL MDଙ୍କ ସହ କଥା ହୋଇ ନିର୍ଦ୍ଦେଶ ଦିଆଯାଇଛି।"
ସୂଚନାଥାଉକି, କୋଇଲା ସଙ୍କଟ ଦୂର କରିବା ପାଇଁ ରେଳ ବିଭାଗ ଟ୍ରେନ ଜରିଆରେ କୋଇଲା ଯୋଗାଣକୁ ପ୍ରାଧାନ୍ୟ ଦେଉଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ରୁଟରେ ଚଳାଚଳ କରୁଥିବା ୬୫୭ଟି ପାସେଞ୍ଜର ଟ୍ରେନ ଗୁଡିକୁ ବାତିଲ କରାଯାଇଛି । ଅନ୍ୟପଟେ ଦିଲ୍ଲୀରେ କୋଇଲା ଅଭାବରୁ ଦିଲ୍ଲୀରେ ଡାକ୍ତରଖାନା, ମେଟ୍ରୋ ଷ୍ଟେସନ ସହ ବଡ ବଡ ପ୍ରତିଷ୍ଠାନରେ ବିଜୁଳି ଯୋଗାଣରେ ବ୍ୟାହତ ହୋଇପାରେ ବୋଲି ଗୁରବାର ଦିଲ୍ଲୀ ସରକାର ସତର୍କ କରାଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ