ଭୁବନେଶ୍ବର: ଭୁବନେଶ୍ୱର ନାଇଜର (National Institute of Science Education and Research) ଠାରେ କ୍ୟାନସର ହସ୍ପିଟାଲ ନିର୍ମାଣ ସମୀକ୍ଷା କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଆଜି ଭୁବନେଶ୍ୱର ଲୋକସଭା ଅନ୍ତର୍ଗତ ଜଟଣୀ ଠାରେ NISER ଠାରେ 650 କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଟାଟା ମେମୋରିଆଲ ସହଯୋଗରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ସମୀକ୍ଷା କରିଛନ୍ତି ସାଂସଦ ।
ଏହି ପ୍ରକଳ୍ପ ପାଇଁ ଆଗାମୀ 3 ମାସ ମଧ୍ୟରେ ଭିତ୍ତିପ୍ରସ୍ତର ସ୍ଥାପନ ହେବ ଏବଂ ପରବର୍ତ୍ତୀ 18 ମାସ ମଧ୍ୟରେ ନିର୍ମାଣ ସମାପ୍ତ ହେବ । ହସ୍ପିଟାଲ ବ୍ୟତୀତ ହଷ୍ଟେଲ, ଧର୍ମଶାଳା, ଗେଷ୍ଟ ହାଉସ, ଷ୍ଟାଫ କ୍ୱାଟର, ବିଦ୍ୟାଳୟ ଆଦି ନିର୍ମାଣ ହେବ । ରୋଗୀ ଚିକିତ୍ସା ସହ ରିସର୍ଚ୍ଚ ଏବଂ ଔଷଧ ନିର୍ମାଣ ମଧ୍ୟ ହେବାର ବ୍ୟବସ୍ଥା ହେବ ।
ଏନେଇ ଅପରାଜିତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭାଗୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଧନ୍ୟବାଦ ଦେଇଛନ୍ତି । 650 କୋଟି ବିନିଯୋଗରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପରେ ରାଜ୍ୟ ସରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ପାଇଁ ସାଂସଦ ଆଗରୁ ଅନୁରୋଧ କରିଥିଲେ । ଏହି ଅବସରରେ ନାଇଜର ନିର୍ଦେଶକ ସୁଧାକର ପଣ୍ଡା ରେଜିଷ୍ଟର ଅଭୟ ନାୟକ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର